
-
ଆସିବ ନୂଆ ଐତିହ୍ୟ ନୀତି
-
ପ୍ରାଥମିକ ପର୍ଯ୍ୟାୟରେ ୭୫ଟି ଐତିହ୍ୟ ସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ନିଆଯିବ ପଦକ୍ଷେପ
-
୩୦୦୦ରୁ ଊଦ୍ଧ୍ୱର୍ ସ୍ମାରକର ସଂରକ୍ଷଣ ପାଇଁ ଗଠିତ ହେବ ଟାସ୍କଫୋର୍ସ
-
ଜଗନ୍ନାଥ ସଂସ୍କୃତି ଓ ବୌଦ୍ଧ କୀର୍ତ୍ତିରାଜିର ବିକାଶ ପାଇଁ ଦିଆଯିବ ସ୍ୱତନ୍ତ୍ର ପ୍ରାଥମିକତା
-
ସବୁ ପୁରାତନ ମନ୍ଦିରର ହେବ ଜିଓ ଟ୍ୟାଗିଙ୍ଗ୍
-
ଖାରବେଳ ସମୟର କିର୍ତ୍ତୀରାଜିକୁ ବିଶ୍ୱସ୍ତରରେ ପହଞ୍ଚାଯିବ
ଭୁବନେଶ୍ୱର ,ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀତ୍ତିରାଜି ଆଜିବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି । ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍ ପ୍ରସ୍ତୁତ କରିବା ସହ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଇବାର ଆବଶ୍ୟକତା ରହିଛି ବୋଲି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି ।
ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବାକରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ରାଜ୍ୟରେ ଥିବା ପୁରାତନ ଐତିହ୍ୟ ସ୍ମାରକ ସବୁର ସୁରକ୍ଷା, ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନେଇ ବୈଠକ ଅନୁଷ୍ଠିତ
ହୋଇଥିଲା ।
ଏଥିରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ ଯେ ଓଡ଼ିଶାର ଐତିହ୍ୟ ବହୁ ପୁରୁଣା । ଐର ଖାରବେଳଙ୍କ ସମୟ, ବୌଦ୍ଧ କୀର୍ତ୍ତିରାଜି, ଖଣ୍ଡଗିରି ଓ ଉଦୟଗିରି ଏବଂ ପାଇକ ବିଦ୍ରୋହ ସମୟର ଅନେକ ଐତିହ୍ୟସ୍ଥଳ ଲୁMାୟିତ ହୋଇ ପଡ଼ିରହିଛି । ଏସବୁକୁ ହିସାବ କଲେ ଓଡ଼ିଶାରେ ଏହାର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏଥିରୁ ୮୨ଟି କୀର୍ତ୍ତିରାଜିକୁ ଭାରତୀୟ ପ୍ରନିତତ୍ତ୍ୱିକ ସଂସ୍ଥା ରକ୍ଷଣାବେକ୍ଷଣ କରୁଥିବାବେଳେ ୨୧୨ଟି ରାଜ୍ୟ ପ୍ରନିତାତ୍ତ୍ୱିକ ସଂସ୍ଥା ହାତରେ ରହିଛି । ତେବେ ବାକି ଥିବା ଐତିହ୍ୟ ସ୍ଥଳର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାର ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି । ତେଣୁ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ପର୍ଯ୍ୟଟନ, ସଂସ୍କୃତି ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ଏକ ଟାସ୍କଫୋର୍ସ ଗଠନର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ସେହିଭଳି ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ଦେଶ ଭାବେ ପରିଚିତ ଓଡ଼ିଶା ଐତିହ୍ୟ ଓ ସଂସ୍କୃତିର ଗନ୍ତାଘର । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଭରି ରହିଛି । ଏହିସବୁ କୀର୍ତ୍ତିରାଜିର ସୁରକ୍ଷା ସହିତ ପାରିପାଶ୍ୱର୍କ ବିକାଶ ଓ ଭଲ ସଡ଼କ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଜରୁରୀ । ଫଳରେ ଲୋକଲୋଚନ ଆଢ଼ୁଆଳରେ ଥିବା ଓଡ଼ିଶାର ଐତିହ୍ୟସ୍ଥଳୀକୁ ବିଶ୍ୱର ସବୁ ସ୍ଥାନରୁ ପର୍ଯ୍ୟଟକ ଆସିବାର ସମ୍ଭାବନା ସୃଷ୍ଟି ହୋଇପାରିବ । ସବୁ ପୁରାତନ ମନ୍ଦିରର ଜିଓ ଟ୍ୟାଗିଂ କରାଯିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କ୍ଷେତ୍ରର ଉନ୍ନତିକରଣ ହେବ । ଏଥି ସହିତ ରାଜ୍ୟରେ ଥିବା ତାରା-ତାରେଣୀ ମନ୍ଦିରଠାରୁ ଆରମ୍ଭ କରି ବିରଜା କ୍ଷେତ୍ର ପର୍ଯ୍ୟନ୍ତ ସବୁ ଶକ୍ତିପୀଠକୁ ଯୋଡ଼ି ଏକ କରିଡ଼ର ନିର୍ମାଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥି ଲାଗି ସବୁ ପୁରାତନ ଐତିହ୍ୟ ସ୍ଥଳୀର ପ୍ରୋଫାଇଲ୍ ପ୍ରସ୍ତୁତି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ପୁରାତନ ଐତିହ୍ୟ ସ୍ଥଳୀର ଗଣନାରେ ଓଡ଼ିଶା ଆଗରେ ଥିବାବେଳେ ସେହି ଅନୁସାରେ ଆମ କୀର୍ତ୍ତିରାଜି ଲୁଟ୍ରେ ମଧ୍ୟ ଆମେ ସର୍ବଭାରତୀୟ ସ୍ତରରେ କିଛି ପଛରେ ନାହୁଁ । ଆମର ବହୁ କୀର୍ତ୍ତିରାଜି ବିଦେଶରେ କୋଟି କୋଟି ଟଙ୍କାର ବିକି୍ର ହୋଇଥିବାର ନଜିର ଅଛି । ତେବେ ଏହାର ସୁରକ୍ଷା ଭାର ଆମ ଉପରେ ରହିଛି । ତେଣୁ ପର୍ଯ୍ୟଟନ ସମ୍ଭାବନାକୁ ବୃଦ୍ଧି କରିବାକୁ ହେଲେ ସବୁ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟର ୭୫ଟି ଐତିହ୍ୟ ସ୍ମାରକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାସ, ଇଆଇସି (ସିଭିଲ୍) ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ-୧) ପି୍ରୟବ୍ରତ ସାମନ୍ତରାୟ, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ.କେ. ଦାସ, ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।