
ଭୁବନେଶ୍ୱର, ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଆଜି ଓଡ଼ିଶାରେ ପହଁଚିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ ନେବେ । ଏହି ଅବସରରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ସେମାନେ ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ-ଇତିହାସ-ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ଅବଗତ ହେବେ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପୂର୍ବରୁ ଓ ପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ସେମାନେ ପ୍ରଶିକ୍ଷିତ ହେବେ । ହକି ବିଶ୍ଵ କପ୍ ଆୟୋଜନ ସମୟରେ ହୋଇଥିବା ସଫଳ ଗଣମାଧ୍ୟମ ରଣନୀତି ଉପରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ତାଲିମ ନେବେ । ହ୍ଵାଇଟ୍ ପାଗୋଡ଼ା ଧଉଳିର ଶାନ୍ତି ମନ୍ତ୍ରରେ ଅଭିମନ୍ତ୍ରିତ ହେବା ସହ ବ୍ଲାକ୍ ପାଗୋଡ଼ା କୋଣାର୍କର କାଳଜୟୀ ସ୍ଥାପତ୍ୟ ଓ ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ ସମୟରେ ଓଡ଼ିଶାର ସମୃଦ୍ଧ କଳା, ଜୀବନ୍ତ ସଂସ୍କୃତି, ବିଭବଶାଳୀ ଐତିହ୍ୟ, ଗରିମାମୟ ଇତିହାସ ସମ୍ପର୍କରେ ଅବଗତ ହେବେ । ଓଡ଼ିଶା ବୟନ ଅସ୍ମିତାର କମନୀୟ ମାଧୁର୍ଯ୍ୟକୁ ବୟନିକାରେ ଉପଲବ୍ଧି କରିବେ ।
ଶ୍ରୀଲଙ୍କାର ଏହି ଅଧିକାରୀମାନେ ଆଜି କିଟ୍ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅଧିକାରୀ ବୃନ୍ଦଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଗୁରବୀର୍ ସିଂ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଉପ-ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ସ୍ଵାଗତ କରିଥିଲେ ।