
ଜୟପୁର– ଗ୍ରାମାଚଂଳର ସୁ ଗମନାଗମନ ପାଇଁ ସରକାରଙ୍କ କାହିଁ କେତେ ଯୋଜନା, ହେଲେ ଯୋଜନା ଯୋଜନ ଦୂରରେ । ଗାଁ ଲୋକେ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲ ଖଣ୍ଡିଏ ନିର୍ମାଣ ହୋଇପାରୁନାହିଁ । ଯାହାକୁ ନେଇ ଏବେ ବଢୁଛି ଅସନ୍ତୋଷ । ବର୍ଷା ଦିନେ ନଦୀ ଫୁଲିଲେ ଜୀବନକୁ ବାଜି ଲଗାଇ ରଶି ସାହାଯ୍ୟରେ ନଦୀ ପାର୍ ହେବାକୁ ପଡେ । ଏଭଳି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚେରକା ପଂଚାୟତର କାଙ୍ଗୁଗୁଡା ନିକଟରେ । ଚେରକା ପଂଚାୟତର କାଙ୍ଗୁଗୁଡା, ଅଟାଳଗୁଡା ଏବଂ ଝାଲିଆଗୁଡା ତିନୋଟି ଗ୍ରାମର ଏକ ଶହରୁ ଉର୍ଦ୍ଧ୍ୱ ପରିବାର ଲୋକେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ନଦୀ ପାର୍ ହେଉଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ଶିକ୍ଷକ, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ କଷ୍ଟେ ମଷ୍ଟେ ଯିବା ଆସିବା କରୁଛନ୍ତି । ସ୍କୁଲ ପିଲା ଏବଂ ଅଙ୍ଗନବାଡ଼ି ଛୁଆ ଠାରୁ ଆରମ୍ଭ କରି ମହିଳା ପୁରୁଷ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଆଉ ଜରୁରିକାଳୀନ ପରିସ୍ଥିତରେ ସେମାନଙ୍କ କଷ୍ଟ ଦୁଇଗୁଣିତ ହେଉଛି ବୋଲି ଗାଁ ଲୋକେ କହିଛନ୍ତି ।
ଶିକ୍ଷା, ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକିୟ ସାମଗ୍ରୀ କିମ୍ବା ପିଡିଏସ ସାମଗ୍ରୀ ହେଉ ସବୁବେଳେ ଏ ଅଂଚଳବାସୀ ନିର୍ଭରଶୀଳ ପଂଚାୟତ କାର୍ଯ୍ୟାଳୟ ଉପରେ । ଏବେ ଏହି ଗାଁ ପାଇଁ ରହିଛି ରାସ୍ତା ଓ ପୋଲ ସମସ୍ୟା । ଭଲ ରାସ୍ତାଟିଏ ନଥିବାରୁ ଅନେକ ହଇରାଣ ହୁଅନ୍ତି ଅଂଚଳବାସୀ । ହେଲେ ଗାଁକୁ ଯିବାକୁ ଏହି କଚ୍ଚା ରାସ୍ତା ଦେଇ ପାହାଡ଼ିଆ ନଦୀ ପାରି ହେବାକୁ ପଡେ । ଆଉ ବର୍ଷା ଦିନେ ଜଳବନ୍ଦୀ ଜୀବନ । ସରକାର ଅପହଂଚ ଇଲାକାରେ ରାସ୍ତା ସହ ପୋଲ ନିର୍ମାଣ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସବୁ ନେଉଛନ୍ତି । ହେଲେ ଶାସନ କାଳର ଦୂରଦୃଷ୍ଟି ଅଭାବରୁ ବିକାଶର ସ୍ରୋତରେ ସାମିଲ୍ ହେବାରୁ ବଂଚିତ ରହିଯାଇଛି ଚେରକା ପଂଚାୟତର ୩ ଖଣ୍ଡ ଗାଁ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଗାଁ ର ଭୀମ ସନ୍ତା, ଶଶି ଅନ୍ତିଆ, ଜୟନ୍ତୀ ଭୂମିଆ, ବିଦ୍ୟାବତୀ ପୋଲାଈ ପ୍ରମୁଖ ଦାବି କରିଛନ୍ତି ।