
କଠୁଆ– ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ଅନେକ ସ୍ଥାନରେ ଗତ ରାତିରୁ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଲୋଗେଟ ମୋଡ଼ ନିକଟରେ ଥିବା ଜମ୍ମୁ ଦିଗକୁ ଯିବା ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ପୂରାପୂରି ଭାଙ୍ଗିଯାଇଛି, ଓ ଏହା ସହିତ ଲାଗିଥିବା କଠୁଆ ପାଖକୁ ଆସୁଥିବା ଅନ୍ୟ ଏକ ସେତୁ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଜମ୍ମୁ-ପଠାନକୋଟ ରାଜପଥର ଉଭୟ ପଟେ ଯାତାୟାତ ବନ୍ଦ କରିଛନ୍ତି। ଏହାର ପରିଣାମ ସ୍ୱରୂପ, ରାଜପଥର ଉଭୟ ଦିଗରେ ଗାଡ଼ିମାନଙ୍କ ଲମ୍ବା ଲାଇନ ଲାଗିଗଲା। ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଏ ସମୟରେ ଜମ୍ମୁ-କାଶ୍ମୀର ସହ ଅନ୍ୟ ରାଜ୍ୟଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।