
ଭୁବନେଶ୍ୱର– ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର (ଓରସାକ) ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ରହିଲେ ଦେଶରେ ପ୍ରଗତିର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଏଥିପ୍ରତି ସରକାର ପ୍ରତି କ୍ଷେତ୍ରରେ ପ୍ରୋତ୍ସାହନ ଦେଉଥିବା ସେ ଉଲ୍ଲେଖ କରିଥିଲେ । ମହାକାଶ ଗବେଷଣା ଏକ ସ୍ୱତନ୍ତ୍ର ଅଧ୍ୟୟନ ହୋଇଥିବାରୁ ଏଥିପ୍ରତି ଛାତ୍ରଛାତ୍ରୀ ମାନେ ନୀତିନିଷ୍ଠ ଧ୍ୟାନ ଦେଲେ ଜଣେ ମହାକାଶ ବିଜ୍ଞାନୀ ହୋଇପାରିବ। ରାଜ୍ୟରେ ବିଜ୍ଞାନ ଗବେଷଣା ଓ ବୈଷୟିକ ବିକାଶର ସୁଯୋଗ ରହିଛି ଏବଂ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର ସହଯୋଗ ରହିଥବା ନେଇ ସେ ସୂଚନା ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ଆଇଆଇଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଦେବଦତ୍ତ ସ୍ୱାଇଁ ଯୋଗଦେଇ ଚଳିତ ବର୍ଷର ଶୀର୍ଷକ “ଆର୍ଯ୍ୟଭଟ୍ଟ ଠାରୁ ଗଗନାୟନ- ପ୍ରାଚୀନ ପ୍ରଜ୍ଞା ଠାରୁ ଅସୀମ ସମ୍ଭାବନା” ଉପରେ ଆଲୋକପାତ କରିଥିଲେ।
ଆଜିର ଦିବସ ଭାରତର ମହାକାଶ ଅଭିଯାନର ବିଜୟ ଗାଥାକୁ ମନେପକାଇବା ସହ ମହାକାଶ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ରେକ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।
ସୂଚନାଯୋଗ୍ୟ ଚନ୍ଦ୍ରଯାନ-୩ ମିଶନର ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଭାରତ ସରକାର ଅଗଷ୍ଟ ୨୩ ତାରିଖକୁ “ଜାତୀୟ ମହାକାଶ ଦିବସ” ରୁପେ ଘୋଷଣା କରିଛନ୍ତି । ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରର ନିରାପଦ ଏବଂ ସୂକ୍ଷ୍ମ ଅବତରଣ କରିବା ସହ ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ରୋଭରକୁ ନିୟୋଜିତ କରିବାରେ ସଫଳ ହୋଇପାରିଥିଲା । ଏହି ଐତିହାସିକ ସଫଳତା ଭାରତକୁ ମହାକାଶ ଯାତ୍ରା କରୁଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଏକ ଗୁରୁତ୍ବପୂର୍ଣ ସ୍ଥାନ ପ୍ରଦାନ କରିଛି । ଏହା ଭାରତକୁ ଚନ୍ଦ୍ରରେ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଂଚିବାରେ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି ।
ଏହି ଦିବସକୁ ପାଳନ କରିବା ପାଇଁ ଆଜି ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ପରିସରରେ ପୂର୍ବାହ୍ନରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରଯାଇଥିଲା । ବିଶେଷ କରି ଭୁବନେଶ୍ଵରର କେତେକ ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।
ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାତ୍ର ଓରସାକ ପରିସରରେ ବୃକ୍ଷ ରୋପଣ କରିବା ସହ ରକେଟ ଉତକ୍ଷେପଣ ସଂକ୍ରାନ୍ତୀୟ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିସହ ଏହି ଅବସରରେ ଆଇଆଇଟି, ଭୁବନେଶ୍ୱରର ଛାତ୍ରଛାତ୍ରୀ ସମେତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ଏହି ଅବସରରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରିଶେଷରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ ।