
-
ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ ନୂତନ ଭବନ ନିର୍ମାଣ ହେବ – ଧର୍ମେନ୍ଦ୍ର ପ୍ରଧାନ
କଟକ– କଟକ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ମଧୁପାଟଣା ନୂଆପଡ଼ା ଠାରେ ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଦ୍ୱିତୀୟ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କଟକ ବିଶେଷ ଭାବରେ ନୂଆପଡ଼ାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଆଗକୁ ଗଣେଶ ପୂଜା ଆସୁଥିବା ବେଳେ ଏହି କ୍ୟାମ୍ପସର ଶ୍ରୀଗଣେଶ ହେବା ଅଞ୍ଚଳବାସୀଙ୍କ ପାଇଁ ବଡ଼ ଉପଲବ୍ଧି । ପୂର୍ବ ସରକାରଙ୍କ ଅସହଯୋଗ କାରଣରୁ ଏହି କ୍ୟାମ୍ପସ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । କଟକର ଜନପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ଉଦ୍ୟମ କାରଣରୁ ବିଜେପି ସରକାରରେ ଏହାର କାମ ଆଗେଇ ପାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ପାଖାପାଖି ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ନୂଆ ଭବନ ନିର୍ମାଣ କରାଯିବ । ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ସୁବିଧା କରାଯିବ । ଶ୍ରେଣୀଗୃହ ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ହେବା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରାଯିବ, ଯ ଦ୍ୱାରା ବର୍ତ୍ତମାନ ପଢୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ବିଦ୍ୟାଳୟ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ । ଏହି ବିଦ୍ୟାଳୟ ଆକର୍ଷଣୀୟ ବିଦ୍ୟାମନ୍ଦିରର ରୂପ ହେବ, ଯାହା ନବ ଓଡ଼ିଶା ନିର୍ମାଣରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ ।
ସେ ଆହୁରି କହିଛନ୍ତି ଯେ ଓଡ଼ିଆ ପିଲାମାନେ ସେତେବେଳେ ବିଶ୍ୱବିଜୟୀ ହେବେ, ଯେତେବେଳେ ସେମାନେ ସବୁ ବିଷୟକୁ ଭଲ ଭାବରେ ବୁଝିପାରିବେ । ସବୁ ବିଷୟ ଭଲ ଭାବରେ ବୁଝିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାରେ ଦକ୍ଷ କରିବା ପାଇଁ ହେବ । ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାନ ବିଭୂତିମାନେ ନିଜ ମାତୃଭାଷାରେ ପାଠପଢି ଆମ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ମାତୃଭାଷାରେ ପାଠ ପଢିଲେ ହିଁ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ ହୋଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଜାତୀୟ ମହାକାଶ ଦିବସର ମହତ୍ୱ ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ପଚାରିବୁଝିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ ।