
-
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ
-
ସ୍ମାର୍ଟ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ସହ ବସି ପାଠପଢାର ଶୈଳୀ ଦେଖିଲେ କେନ୍ଦ୍ରମନ୍ତ୍ରୀ
-
ଡିଜିଟାଲ କଣ୍ଟେଣ୍ଟ୍ ଦ୍ୱାରା ଶିକ୍ଷୟିତ୍ରୀଙ୍କ ପାଠପଢା ପଦ୍ଧତିର କଲେ ପ୍ରଶଂସା
-
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ କଟକ ବୋର୍ଡ ହାଇସ୍କୁଲର ଡାଇମଣ୍ଡ୍ ଜୁବୁଲି ଲୋଗୋ ଉନ୍ମୋଚିତ
-
ପୁରାତନ ଛାତ୍ରଛାତ୍ରୀଙ୍କୁ ଭେଟିଲେ, ସ୍କୁଲ ପରିଚାଳନା ଉପରେ କଲେ ଆଲୋଚନା
-
ମାତୃଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦଲେ ପରାମର୍ଶ
-
‘ଜାତୀୟ ମହାକାଶ ଦିବସ’ ଅବସରରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଗର୍ବର ବିଷୟ
କଟକ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ମାର୍ଟ କ୍ଲାସରୁମରେ ପିଲାମାନଙ୍କ ସହ ବସି ପାଠପଢାର ଶୈଳୀ ଦେଖିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ବୋର୍ଡ ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ ପାଇଁ ଏକ ଆଦର୍ଶ ହାଇସ୍କୁଲ ଭାବରେ ବିକଶିତ ହୋଇଥିବା ଏହି ଅନୁଷ୍ଠାନର ଏକ ଅନନ୍ୟ ପରିଚୟ ରହିଛି । ବିଗତ ୬୬ ବର୍ଷ ଧରି ଏହି ବିଦ୍ୟାଳୟ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା ହୋଇଛି । ଏହା ଏକ ସାଧାରଣ ବିଦ୍ୟାଳୟ ନୁହେଁ ବରଂ ସବୁବେଳେ କିଛି ନା କିଛି ପରୀକ୍ଷଣ କରୁଥିବାର ବିଦ୍ୟାଳୟ ଅଟେ । ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଏବଂ ହାଇସ୍କୁଲର ଡାଇମଣ୍ଡ୍ ଜୁବୁଲିର ଏକ ଲୋଗୋ ଉନ୍ମୋଚନ କରିବା ମୋ ପାଇଁ ଗର୍ବର ବିଷୟ ।
ସେ ଆହୁରି କହିଛନ୍ତି ଯେ ଏଠାରେ କାର୍ଯ୍ୟରତ ଶିକ୍ଷୟିତ୍ରୀମାନେ ପାଓ୍ୱାର ପଏଣ୍ଟ ଜରିଆରେ ଡିଜିଟାଲ କଣ୍ଟେଣ୍ଟ୍ ପ୍ରସ୍ତୁତ କରି ଯେଉଁ ଆଧୁନିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଏହି ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷାନୁଷ୍ଠାନର ଐତିହ୍ୟ ଓ ବିଶେଷତାକୁ ବଜାୟ ରଖି ସ୍କୁଲ ପରିଚାଳନା ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଏହି ଶିକ୍ଷାରୂପକ ମନ୍ଦିରର ଗୌରବ ବଢାଇବାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗଦାନ ଅତୁଳନୀୟ । ଓଡ଼ିଶାର ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷମାନେ ପାଠ ପଢି ଦେଶ ଏବଂ ଦେଶ ବାହାରେ ନିଜର ସୁନାମ ଅର୍ଜନ କରି ଏହାର ଗୌରବ ବଢାଇଛନ୍ତି । ଏହି ସ୍କୁଲର ଯତ୍ନ ନେବାକୁ ଆଗେଇ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।