
ଭୁବନେଶ୍ୱର- ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଦୁର୍ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ବ୍ରହ୍ମପୁର ମେଲକୁଟୁରୁ ନିକଟରେ ଘଟିଯାଇଥିବା ବସ୍ ଦୁର୍ଘଟଣାଜନିତ ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭିନ୍ନ ଦିଗରୁ ଏହାର ତଦନ୍ତ କରାଯିବ । ବସ୍ ର ଫିଟନେସ୍, ଲାଇସେନ୍ସ, ରୁଟ୍ ପରିମିଟ୍ ଠିକ୍ ଥିଲା କି ନାହିଁ ତାହା ଉପରେ ମଧ୍ୟରେ ଯାଂଚ୍ କରାଯିବ । ସାଉଥକୋର ଅଧିକାରୀମାନଙ୍କୁ ମଧ୍ୟ ଏନେଇ ଜେରା କରାଯିବ । ସ୍ଥାନୀୟ ଜନସାଧାରଣ ୧୧ କେଭି ବିଦ୍ୟୁତ ତାର ତଳକୁ ଝୁଲି ରହିଥିବା ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କ’ଣ ପାଇଁ ଏହାକୁ ଉପରକୁ ଟଣା ଯାଇନଥିଲା, ସେଥିନେଇ ମଧ୍ୟ ପ୍ରଶ୍ନ କରାଯିବ । ସେହିପରି ବସ୍ ଡ଼୍ରାଇଭର ରାସ୍ତାରେ ତାର ଝୁଲି ରହିଥିବା ଦେଖିବା ସତ୍ୱେ କିପରି ଗାଡି ଆଗକୁ ନେଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।
ଅପରପକ୍ଷେ ଓପିଟିସିଏଲର ଚେୟାରମ୍ୟାନ ସୌରଭ ଗର୍ଗ କହିଛନ୍ତି ଯେ, ଘଟଣାସ୍ଥଳକୁ ସାଉଥକୋର ଉଚ୍ଚସ୍ତରିୟ ଟିମ୍ ପଠାଯାଇଛି । ଅନୁଧ୍ୟାନ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।