
ଭୁବନେଶ୍ୱର– ରାଜ୍ୟକୁ ରିଙ୍ଗ ରୋଡ୍ ପାଇଁ ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବୁଧବାର ଦିନ ରାଜ୍ୟ ଅତିଥି ଭବନରେ ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ବିଧାୟକ, ମନ୍ତ୍ରୀ ତଥା କାର୍ଯ୍ୟକର୍ତା ମାନେ ସାମିଲ ହୋଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲପାଇବା ରହିଛି । କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ ବା ଉଜଜଜ ପାଇଁ ନୀତିନ କଡକରୀଙ୍କ ପାଖରେ ଆମେ ଦାବି କରିଥିଲୁ । ଗତକାଲି କ୍ୟାବିନେଟରେ ଏହାକୁ ସେ ମଞ୍ଜୁରୀ ଦେଇଛନ୍ତି । ପ୍ରାୟ ୮ ହଜାର ୩୫୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଏହି ରିଙ୍ଗ ରୋଡ ଓଡ଼ିଶାର ୧୧୧ କିଲୋମିଟର ରାସ୍ତାକୁ କଭର କରିବ । ଯାହାକି ଖୋର୍ଦ୍ଧା ରାମେଶ୍ୱର ଠାରୁ ଆରମ୍ଭ ହୋଇ କଟକ ଟାଙ୍ଗୀ ପର୍ଯ୍ୟନ୍ତ ଯିବ। ଏହାଫଳରେ ରାଜ୍ୟରେ ଅର୍ଥନୈତିକ ବିକାଶ ହେବା ସହ ଯୋଗାଯୋଗ କ୍ଷେତ୍ରରେ ବୃଦ୍ଧି ହେବ। ଏବେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଚୌଦ୍ୱାର ଓ ବାଙ୍କୀକୁ କ୍ୟାପିଟାଲ ରିଜିୟନ କୁହାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଗୋଠପାଟଣା ଠାରେ ନୂଆ ସିଟି ପାଇଁ ଏହି ରିଙ୍ଗ ରୋଡ ସହାୟକ ହେବ। ଏହି ରିଙ୍ଗ ରୋଡ୍ ଫଳରେ ରାଜ୍ୟରେ ଆଇଟି, ଟେକଷ୍ଟାଇଲ ଭଳି ଉଦ୍ୟୋଗର ବୃଦ୍ଧି କ୍ଷେତ୍ରରେ ଏହା ସହାୟକ ହେବ।
ପୂର୍ବରୁ ପୋସ୍କୋ ଓଡ଼ିଶାରୁ ଫେରିଯାଇଥିଲେ ଆଉ ଏବେ ପୁଣି ଓଡ଼ିଶାକୁ ଫେରିଛି। ଭାରତ ବର୍ଷରେ ଓଡ଼ିଶା ଉଦ୍ୟୋଗ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଏଥିରୁ ଜଣାଯାଇଛି । ଏବେ ସଂପୂର୍ଣ୍ଣ ଓଡ଼ିଶାରେ ଶିଳ୍ପ ବୃଦ୍ଧି ହେବ । ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ ଭାବେ ସାରା ଦେଶରେ ପରିଗଣିତ ହେବ । ଏହାସହ ଔଝଡ କେନ୍ଦୁଝରରେ ଉଦ୍ୟୋଗ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି ଟଙ୍କା । ଏଥିପାଇଁ ମୋଦି ମଧ୍ୟ ଔଝଡ କୁ ବଧେଇ ଦେଇଛନ୍ତି । ଆଗକୁ ଆହୁରି ଶିଳ୍ପ ଆସିବ ସହ ସମୃଦ୍ଧ ହେବ ଓଡିଶା । ଭିଜନ ୨୦୩୬ ପାଇଁ ଆଉ ଏକ ପଦ ଆଗକୁ ବଢିଛି ଓଡ଼ିଶା । ଶ୍ରେଷ୍ଠ ୫ ରାଜ୍ୟରେ ଗଣତି ହେବ ଓଡିଶା। ପ୍ରତି ପ୍ରୋଜେକ୍ଟକୁ ମୋଦି ମଞ୍ଜୁର କରିଛନ୍ତି । ଏହା ରାଜ୍ୟର ବିକାଶକୁ ବହୁଗୁଣିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।