
ମୁମ୍ବାଇ– ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାର ମୁଖେଡ଼ ତହସିଲରେ ସୋମବାର ମୂଷଳଧାରରେ ବର୍ଷା ଯୋଗୁ ଲେଣ୍ଡି ବନ୍ଧର ଜଳସ୍ତର ବୃଦ୍ଧିପାଇଛି ଏବଂ ଲାତୁର, ଉଦଗିର ଓ କର୍ଣ୍ଣାଟକରୁ ଅତ୍ୟଧିକ ପାଣି ଆସିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାର ପରିଣାମ ସ୍ୱରୂପ ରାବଣଗାଁରେ 225 ଜଣ ନାଗରିକ ବନ୍ୟା ପାଣି ମଧ୍ୟରେ ଫସିଯାଇଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, ଏନଡିଆରଏଫ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଟିମ୍ ରେସକ୍ୟୁ କାର୍ଯ୍ୟରେ ଲାଗିଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ସୋମବାର ଦିନ ମନ୍ତ୍ରାଳୟରେ ସ୍ଥିତ ଜରୁରୀକାଳୀନ ବିଭାଗରେ ରାଜ୍ୟର ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଗତ 24 ଘଣ୍ଟାରେ ନାନ୍ଦେଡ଼ରେ ପ୍ରାୟ 206 ମି.ମି. ବୃଷ୍ଟି ହୋଇଛି। ଏହାସହିତ ଅନ୍ୟାନ୍ୟ ଜିଲ୍ଲା ଓ କର୍ଣ୍ଣାଟକରୁ ମଧ୍ୟ ପାଣି ଆସିଥିବାରୁ ରାବଣଗାଁ, ଭସବାଡ଼ି, ଭିଙ୍ଗେଲୀ, ହସନାଲ ଆଦି ସ୍ଥାନରେ ବନ୍ୟା ହୋଇଛି ଓ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାବଣଗାଁରେ 225 ଜଣ ନାଗରିକ ବନ୍ୟା ପାଣିରେ ଫସିରହିଛନ୍ତି, ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନରୁ ନାଗରିକମାନଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଛି। ହସନାଲ ଅଞ୍ଚଳରୁ 8 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଭସବାଡ଼ିରେ 20 ଜଣ ନାଗରିକ ଫସିରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି। ଭିଙ୍ଗେଲୀରେ 40 ଜଣ ନାଗରିକ ଫସିରହିଛନ୍ତି , ସେମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। 5 ଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା କାମ ଚାଲିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ନାନ୍ଦେଡ଼ ଜିଲ୍ଲା ପ୍ରଶାସକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି, ଓ ନାନ୍ଦେଡ଼, ଲାତୁର ଓ ବିଦର ଜିଲ୍ଲାପାଳ ମାନେ ମଧ୍ୟ ପରସ୍ପର ସମ୍ପର୍କରେ ଥିବା ସହ ରେସକ୍ୟୁ କାର୍ଯ୍ୟରେ ଲାଗିଛନ୍ତି।
ଏନଡିଆରଏଫ, ସେନା ଓ ପୋଲିସ ଟିମ୍ ମିଶି ସମନ୍ୱୟରେ ରେସକ୍ୟୁ ଅଭିଯାନ ଚଳାଇଛନ୍ତି। ଛତ୍ରପତି ସମ୍ଭାଜୀନଗରରୁ ସେନାର ଏକ ଟିମ୍ ମଧ୍ୟ ପଠାଯାଇଛି। ସ୍ଥାନୀୟ ପ୍ରଶାସନକୁ ପ୍ରଭାବିତ ଅଞ୍ଚଳରେ ରହି ଅଭିଯାନର ସମନ୍ୱୟ କରିବାକୁ କୁହାଯାଇଛି।