
ଭୁବନେଶ୍ୱର– ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଜେପିର ସଂସ୍ଥାପକ ସଦସ୍ୟ ଓ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କର ପ୍ରେରଣାସ୍ରୋତ ‘ଭାରତ ରତ୍ନ’ ଶ୍ରଦ୍ଧେୟ ଅଟଲ ବିହାରୀ ବାଜପେୟୀ ଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ କୋଟି କୋଟି ଶ୍ରଦ୍ଧାଞ୍ଜଳି ଜଣାଉଛି।
ଯେତେବେଳେ ଦେଶରେ ରାଜନୈତିକ ନୈତିକତା, ରାଷ୍ଟ୍ରହିତ ପ୍ରତି ସତ୍ୟନିଷ୍ଠା ଓ ସିଦ୍ଧାନ୍ତ ପ୍ରତି ଚର୍ଚ୍ଚା ହୋଇଥାଏ, ସେତେବେଳେ ନିଶ୍ଚିତ ଭାବରେ ଶ୍ରଦ୍ଧେୟ ଅଟଲ ଜୀଙ୍କ ନାମ ନିଆଯାଇଥାଏ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଦେଶର ପ୍ରଗତି ଓ ସମୃଦ୍ଧି ସେତେବେଳେ ହିଁ ସମ୍ଭବ, ଯେତେବେଳେ ଆମେ ଆମର ଆଦର୍ଶ ସହ ବୁଝାମଣା କରିବୁନାହିଁ । ପୋଖରଣ ପରମାଣୁ ପରୀକ୍ଷଣ ଓ ମଜବୁତ ଆର୍ଥିକ ନୀତି ତାଙ୍କର ଦୂରଦର୍ଶିତା ଓ ସାହସର ପ୍ରମାଣ। ବିଜେପି ସ୍ଥାପନାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ, ସେ ସର୍ବଦା ରାଷ୍ଟ୍ରହିତକୁ ସର୍ବୋପରି ରଖିଛନ୍ତି। ଶ୍ରଦ୍ଧେୟ ଅଟଲ ଜୀଙ୍କ ସ୍ମୃତି ସଦା ସର୍ବଦା ଆମ ହୃଦୟରେ ଜୀବନ୍ତ ରହିବ।