
ନୂଆଦିଲ୍ଲୀ,ଆୟୋଜନ ସ୍ଥଳରେ ପୁଷ୍ପବର୍ଷା ପରେ ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସଂବୋଧିତ କରିବେ ପ୍ରଧାନମନ୍ତ୍ରୀ- ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ଅପରେସନ୍ ‘ସିନ୍ଦୂର’ ର ସଫଳତାକୁ ବିଶେଷ ଭାବରେ ପାଳନ କରାଯିବ । ଫୁଲ ସାଜସଜା ମଧ୍ୟ ଏହି ଅପରେସନ୍ର ଆଧାରରେ ହେବ। ଆମନ୍ତ୍ରଣପତ୍ର ଉପରେ ମଧ୍ୟ ଅପରେସନ୍ ସିନ୍ଦୂରର ଲୋଗୋ ଅଙ୍କିତ ହେବ। ଆୟୋଜନ ସ୍ଥଳୀରେ ପୁଷ୍ପ ବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧନ କରିବେ।
ଉତ୍ସବରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ 5,000 ଜଣ ବିଶେଷ ଅତିଥିକୁ ନିମନ୍ତ୍ରଣ ଦିଆଯାଇଛି। ସନ୍ଧ୍ୟାରେ ପ୍ରଥମଥର ପାଇଁ ସମଗ୍ର ଭାରତର 140 ରୁ ଅଧିକ ମୁଖ୍ୟ ସ୍ଥାନରେ ସଶସ୍ତ୍ର ବାହିନୀର ବ୍ୟାଣ୍ଡ୍ ଦେଶଭକ୍ତିମୟ ସଙ୍ଗୀତରେ ଦେଶକୁ ଅଭିଭୂତ କରିଦେବେ।
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ, ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ଲାଲକିଲ୍ଲାରେ ହେବ, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ସମୟରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ ଓ ରକ୍ଷା ସଚିବ ରାଜେଶ କୁମାର ସିଂହ ଅଭିନନ୍ଦନ ଜଣାଇବେ।
ତାପରେ ରକ୍ଷା ସଚିବ, ଦିଲ୍ଲୀ ଅଞ୍ଚଳର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ଟିନେଣ୍ଟ ଜେନେରାଲ୍ ଭବନୀଶ କୁମାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ପରିଚିତ କରାଇବେ। ଏହାପରେ ଜିଓସି ପ୍ରଧାନମନ୍ତ୍ରୀଙ୍କୁ ସଲାମି ମଞ୍ଚ ପର୍ଯ୍ୟନ୍ତ ନେଇଯିବେ, ଯେଉଁଠାରେ ତିନି ସେନା ବାହିନୀ ଓ ଦିଲ୍ଲୀ ପୁଲିସର ସଂଯୁକ୍ତ ଗାର୍ଡ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ସଲାମି ଦେବେ। ଏହାପରେ ପ୍ରଧାନମନ୍ତ୍ରୀ ସେ ଗାର୍ଡ୍ ଅଫ୍ ଅନର୍ ଦଳର ନିରୀକ୍ଷଣ କରିବେ। ଏହି ଦଳରେ 96 ଜଣ ଯବାନ ଥିବେ, ଯେଉଁଥିରେ ସେନା, ନୌସେନା, ବାୟୁସେନା ଓ ଦିଲ୍ଲୀ ପୁଲିସର 24-24 ଯବାନ ଅନ୍ତର୍ଭୁକ୍ତ ଅଛନ୍ତି।
ଚଳିତ ବର୍ଷର ସ୍ୱାଧୀନତା ଦିବସ ଉତ୍ସବର ସମନ୍ୱୟ ଭାରତୀୟ ବାୟୁ ସେନା କରୁଛି। ଗାର୍ଡ୍ ଅଫ୍ ଅନରର କମାଣ୍ଡ ଉପରେ ରହିବେ ୱିଂ କମାଣ୍ଡର ଏ.ଏସ୍. ସେଖୋନ୍। ପ୍ରଧାନମନ୍ତ୍ରୀଙ୍କ ଗାର୍ଡ୍ ଅଫ୍ ଅନର୍ ଦଳରେ ସେନା ଦଳର କମାଣ୍ଡରେ ମେଜର ଅର୍ଜୁନ ସିଂହ, ନୌସେନା ଦଳର କମାଣ୍ଡରେ ରହିବେ ଲେଫ୍ଟିନେଣ୍ଟ କମାଣ୍ଡର କୋମଲଦୀପ ସିଂହ, ବାୟୁସେନା ଦଳର କମାଣ୍ଡରେ ରହିବେ ସ୍କ୍ୱାଡ୍ରନ୍ ଲିଡର ରାଜନ ଅରୋଡ଼ା, ଦିଲ୍ଲୀ ପୁଲିସ ଦଳର କମାଣ୍ଡ ଅତିରିକ୍ତ ଡିସିପିରୋହିତ ରାଜବୀର ସିଂହଙ୍କ ହାତରେ ରହିଛି ।
ସଲାମି ଗାର୍ଡର ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀର ଦିଗରେ ଯିବେ,ଯେଉଁଠି ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ, ଥଳସେନା ଅଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ନୌସେନାଧ୍ୟକ୍ଷ ଏଡମିରାଲ୍ ଦିନେଶ କେ ତ୍ରିପାଠୀ ଓ ବାୟୁସେନାଧ୍ୟକ୍ଷ ଏୟାର୍ ଚିଫ୍ ମାର୍ଶାଲ୍ ଏ.ପି. ସିଂହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ।
ଦିଲ୍ଲୀ ଅଞ୍ଚଳର ଜେନେରାଲ୍ ଅଫିସର କମାଣ୍ଡିଂ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଲାଲକିଲ୍ଲାର ପ୍ରାଚୀର ଉପର ଥିବା ମଞ୍ଚ ପର୍ଯ୍ୟନ୍ତ ନେଇଯିବେ। ଫ୍ଲାଇଂ ଅଫିସର ରଶିକା ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାରେ ସାହାଯ୍ୟ କରିବେ। ଏହି ସମୟରେ 1721 ଫିଲ୍ଡ ବ୍ୟାଟେରୀ (ସେରିମୋନିୟାଲ୍) ର ଶୂର ତୋପଚି 21 ତୋପ ଧ୍ୱନି ସଲାମି ଦେବେ। ଏହି ଉତ୍ସବ ଉଦ୍ଦେଶ୍ୟରେ ଭାରତରେ ତିଆରି ହୋଇଥିବା 105ଏମଏମ ଲାଇଟ ଫିଲ୍ଡ ଗନ ବ୍ୟବହାର କରାଯିବ। ଏହି ବ୍ୟାଟେରୀର କମାଣ୍ଡ ରହିବେ ମେଜର ପବନ ସିଂହ ଶେଖାୱତ, ଓ ଗନ ପୋଜିସନ ଅଫିସର ହେବେ ନାଏବ ସୂବେଦାର ଅନୁତୋଷ ସରକାର (ଗନରୀରେ ସହାୟକ ପ୍ରଶିକ୍ଷକ)। ଧ୍ୱଜାରୋହଣ ପରେ, 128 କର୍ମଚାରୀ ତିରଙ୍ଗାକୁ ‘ଜାତୀୟ ସଲାମି’ ଦେବେ।
ଜାତୀୟ ପତାକା ରକ୍ଷକ ଦଳରେ ଥିବେ ଥଳସେନା, ନୌସେନା, ବାୟୁସେନା ଓ ଦିଲ୍ଲୀ ପୁଲିସର ଜଣେ ଜଣେ ଅଧିକାରୀ ଓ 32 ଅନ୍ୟ ରାଙ୍କର କର୍ମଚାରୀ। ଏହି ଅନ୍ତର-ସେବା ଓ ପୁଲିସ ରକ୍ଷକ ଦଳର କମାଣ୍ଡ ୱିଙ୍ଗ କମାଣ୍ଡର ତରୁଣ ଡାଗର ସମ୍ଭାଳିବେ ।
ଜାତୀୟ ପତାକା ରକ୍ଷକ ଦଳରେ ସ୍ଥଳସେନା ଗ୍ରୁପର କମାଣ୍ଡ ସମ୍ଭାଳିବେ ମେଜର ପ୍ରକାଶ ସିଂହ, ନୌସେନା ଗ୍ରୁପର କମାଣ୍ଡ ରହିବ ଲେଫ୍ଟିନେଣ୍ଟ କମାଣ୍ଡର ମହମ୍ମଦ ପର୍ୱେଜଙ୍କ ହାତରେ, ବାୟୁସେନା ଗ୍ରୁପର କମାଣ୍ଡ ରହିବ ସ୍କ୍ୱାଡ୍ରନ୍ ଲିଡର ଭି.ଭି. ଶରବଣଙ୍କ ନିୟନ୍ତ୍ରଣରେ, ଦିଲ୍ଲୀ ପୁଲିସ ଗ୍ରୁପର ନେତୃତ୍ୱ କରିବେ ଅତିରିକ୍ତ ଡିସିପିଅଭିମନ୍ୟୁ ପୋସୱାଲ । ଜାତୀୟ ସଲାମି ସମୟରେ ବାୟୁସେନା ବ୍ୟାଣ୍ଡ ଜାତୀୟ ସଙ୍ଗୀତ ବଜାଇବ। ଏହି ବ୍ୟାଣ୍ଡରେ 1 ଜେସିଓ ଓ 25 ଅନ୍ୟ ରାଙ୍କ ଅଫିସର ଅନ୍ତର୍ଭୁକ୍ତ ରହିବେ। ବ୍ୟାଣ୍ଡର ସଂଚାଳନ କରିବେ ଜୁନିୟର ଓଫିସର ଏମ୍. ଡେକା। ଏହିଥିରେ ପ୍ରଥମଥର ପାଇଁ ୧୧ ଅଗ୍ନିବୀର ବାୟୁ ସଙ୍ଗୀତକାର ମଧ୍ୟ ବ୍ୟାଣ୍ଡର ଅଂଶ ହେବେ, ଯେଉଁମାନେ ଜାତୀୟ ସଂଗୀତ ବଜାଇବେ।
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ପତାକା ଉତ୍ତୋଳନ ସମୟରେ, ଭାରତୀୟ ବାୟୁସେନାର 2 ଟି ଏମଆଇ-17 ହେଲିକପ୍ଟର ଆୟୋଜନ ସ୍ଥଳୀ ଉପରେ ଫୁଲ ବୃଷ୍ଟି କରିବେ – ଗୋଟିଏ ହେଲିକପ୍ଟର ଜାତୀୟ ପତାକା ଥିବ, ଓ ଅନ୍ୟଟି ‘ଅପରେସନ୍ ସିନ୍ଦୂର’ କୁ ପ୍ରତିନିଧିତ୍ୱ କରୁଥିବା ଧ୍ୱଜା ରହିବ। ଏହି ହେଲିକପ୍ଟରର କ୍ୟାପ୍ଟେନ୍ ୱିଙ୍ଗ କମାଣ୍ଡର ଵିନୟ ପୂନିଆ, ୱିଙ୍ଗ କମାଣ୍ଡର ଆଦିତ୍ୟ ଜୟସୱାଲ ରହିବେ।