ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲକୋଟୁରୁ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି । ବିଦ୍ୟୁତ ଆଘାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗୁରୁତର ୧୫ ଜଣ ସମ୍ପ୍ରତି ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଆହତ ମାନଙ୍କ ଚିକିତ୍ସା ନିମନ୍ତେ ମେଡ଼ିକାଲ ପକ୍ଷରୁ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବସ୍ ରୁ ୫ ମୃତଦେହ ଉଦ୍ଧାର ହୋଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।
ବସ୍ ଟି ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ବାଟରେ ଘଟିଯାଇଥିଲା ଏଭଳି ଏକ ଅଘଟଣ । ବିଦ୍ୟୁତ ତାର ଝୁଲି ରହିଥିବାରୁ ବସ୍ ଟି ଏହା ସଂସ୍ପର୍ଶରେ ଆସିଥିଲା । ପୂର୍ବରୁ ବହୁବାର ଏନେଇ ବିଭାଗକୁ ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ଘଟଣା ପାଇଁ ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ଦାୟୀ କରିଛନ୍ତି । ଘଟଣାସ୍ଥଳରେ ଗୋଳନ୍ଥରା ଥାନା ପୋଲିସ ଏବଂ ବ୍ରହ୍ମପୁର ଏସପି ପହଂଚି ମୃତାହତଙ୍କୁ ବସ୍ ରୁ ଉଦ୍ଧାର କରିଥିବା ଜଣାପଡିଛି । ଆମ୍ବୁଲାନ୍ସ ଘଂଟାଏ ବିଳମ୍ବରେ ସେଠାରେ ପହଂଚିଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଡ଼କାଯାଇ ଘଟଣାର ତଦନ୍ତ ହେବ ଏବଂ ଏନେଇ ମାମଲା ରୁଜ୍ଜୁ କରାଯିବ ବୋଲି ଏସପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ମୃତାହତଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।