
ଭୁବନେଶ୍ୱର,ଆଜି ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ କୁମାର ଦେବ ଏହି କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ “ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର ” ବୋଲି କହି ଥିଲେ ।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡା: ପ୍ରଦୀପ କୁମାର ରାଉତ କହିଥିଲେ ଯେ ଆୟୋଜିତ ଏହି ପ୍ରୟାସର ଉଦ୍ଦେଶ୍ୟ ଥିଲା, ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ନାଗରିକ-ମୁଖୀ, ସୁବୋଧ, ସହଜ ପ୍ରବେଶଯୋଗ୍ୟ ଓ ମାନକୀକୃତ କରିବା ପାଇଁ User-Centric Design ଓ Design System ବିଷୟରେ ସଚେତନତା ବୃଦ୍ଧି କରିବା।
ଏହି କର୍ମଶାଳାରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ବିଷୟ ଉପର ପାଞ୍ଚଟି ସତ୍ରରେ ଯୁଜର୍ ଏକ୍ସପିରିଏନ୍ସ ଓ ଇଣ୍ଟରଫେସ୍ ଡିଜାଇନ୍ ର ମୂଳଭିତ୍ତି, ଡିଜିଟାଲ୍ ପ୍ଲାଟଫର୍ମ ପାଇଁ Accessibility Guidelines, ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ଡିଜାଇନ୍ ସିଷ୍ଟମ୍, ୟୁଜର୍ ଫିଡ୍ବ୍ୟାକ୍ ଓ ୟୁଜାବିଲିଟି ପରୀକ୍ଷା, ଡିଜିଟାଲ୍ ସେବାରେ ନିରନ୍ତର ସୁଧାର ପ୍ରକ୍ରିୟା ଉପରେ ପ୍ରମୁଖ ଅଲୋଚନା ହୋଇଥିଲା । କର୍ମଶାଳାରେ ସାମୁହିକ ଚର୍ଚ୍ଚା, ଗୋଷ୍ଠୀ କାର୍ଯ୍ୟକଳାପ ଓ ଅଭିଜ୍ଞତା ବିନିମୟ ମାଧ୍ୟମରେ ପ୍ରାୟୋଗିକ ଜ୍ଞାନ ବିକାଶ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ବିଭାଗକୁ ନାଗରିକ-ମୁଖୀ ଡିଜାଇନ୍ ପ୍ରଥା ଗ୍ରହଣ କରି, ଡିଜିଟାଲ୍ ସେବାକୁ ଅଧିକ କାର୍ଯ୍ୟକାରୀ ଓ ସହଜ ପ୍ରବେଶଯୋଗ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲା । ଶେଷରେ ଏନ.ଆଇ.ସି.ର ଉପ ମହାନିର୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡା. ଅଶୋକ କୁମାର ହୋତା ଧନ୍ୟବାଦ ଦେଇଥିଲେ ।