
ଧର୍ମଶାଳା- ଯାଜପୁର ବ୍ଲକ ତଥା ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ କାକୁଡିକୁଦ ଉପସ୍ବାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଝାଲପଡା ଓ ରୁଦ୍ରପୁର ପଞ୍ଚାୟତରେ ମହିଳା ସ୍ବାସ୍ଥ୍ୟ କର୍ମୀ (ଏଏନ୍ଏମ୍) ନଥିବାରୁ ନବଜାତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟସେବାରେ ଘୋର ସମସ୍ଯା ଦେଖାଦେଇଛି। ସୂଚନା ଅନୁଯାୟୀ, ପ୍ରତି ୫ ହଜାର ଜନସଂଖ୍ୟାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ରହିବାର ନିୟମ ରହିଛି। ମାତ୍ର ଝାଲପଡା ଓ ରୁଦ୍ରପୁର ପଞ୍ଚାୟତର ମୋଟ ୧୦,୯୭୧ ଜନସଂଖ୍ୟା ଥିବା ବେଳେ ୧୨ ବର୍ଷ ହେଲା ଏଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ(ଏଏନ୍ଏମ୍) ନାହାଁନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାନୁସାରେ ଜନସଂଖ୍ୟା ଦୃଷ୍ଟିରୁ ଏହି ଦୁଇ ପଞ୍ଚାୟତର ଲୋକଙ୍କ ପାଇଁ ଦୁଇଟି ଉପକେନ୍ଦ୍ରରେ ଦୁଇଜଣ ମହିଳା ସ୍ବାସ୍ଥ୍ୟ କର୍ମୀ(ଏଏନ୍ଏମ୍) ରହିବା କଥା । ମାତ୍ର ଦୁଃଖର କଥା ଦୁଇ ପଞ୍ଚାୟତ ପାଇଁ ଜଣେବି ମହିଳା ସ୍ବାସ୍ଥ୍ୟ କର୍ମୀ ନାହାନ୍ତି। ମହିଳାସ୍ବାସ୍ଥ୍ୟ କର୍ମୀ(ଏଏନ୍ଏମ୍) ନଥିବାରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟପରି ମୌଳିକ ଅଧିକାର ଓ ସୁବିଧାସୁଯୋଗରୁ ବଞ୍ଚିତ ହେଉଛନ୍ତି। ଝାଲପଡା ଓ ରୁଦ୍ରପୁର ପଞ୍ଚାୟତର ଝାଲପଡା, ସାନବାଗସାହି, ସାନନୁଣୁପୁର, ବଡନୁଣୁପୁର, ନୀଳକଣ୍ଠପୁର, କାକୁଡିକୁଦ, ବଡବାଗସାହି, ସିଠାଳୋଇ, ରୁଦ୍ରପୁର ଗ୍ରାମର ଶହଶହ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଯେଉଁ ପ୍ରକାର ପ୍ରାଥମିକ ସ୍ବାସ୍ଥ୍ୟସେବା ମିଳିବା କଥା ତାହା ମିଳୁନଥିବାର ଦେଖିବାକୁ ମିଳୁଛି। କେବଳ ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏହି ଦୁଇ ପଞ୍ଚାୟତ ଦାୟିତ୍ବରେ ଥିବା କମୁନିଟି ସ୍ୱାସ୍ଥ୍ୟ ଅଧିକାରିଣୀ ପ୍ରିୟଦର୍ଶିନୀ ମନୀଷା ଦାସଙ୍କ ତତ୍ତ୍ବାବଧାନରେ ସମାପନ ହେଉଥିବାର ଦେଖିବାକୁ ମିଳୁଛି। ମାତ୍ର କେବଳ ଟୀକାକରଣକୁ ବାଦ ଦେଲେ ଗର୍ଭବତୀ ଓ ନବଜାତକ ଶିଶୁଙ୍କ ସ୍ବାସ୍ଥ୍ୟସେବା, ପରିବାର ନିୟୋଜନ କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଓ ପୋଷଣ ଶିକ୍ଷା, ପରିବେଶ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ, ସଂକ୍ରମଣ ପ୍ରତିରୋଧ ଟୀକାକରଣ, ଛୋଟଛୋଟ ଚିକିତ୍ସା ଓ ଜରୁରୀକାଳୀନ ଚିକିତ୍ସା ଭଳି ବହୁପ୍ରକାର ସ୍ବାସ୍ଥ୍ୟ ସେବାରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି। ତେଣୁ ଏହି ଦୁଇ ପଞ୍ଚାୟତର ଗର୍ଭବତୀ ମହିଳା ଓ ନବଜାତକ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଏକ ମହିଳା ସ୍ବାସ୍ଥ୍ୟ କର୍ମୀ(ଏଏନ୍ଏମ୍) ନିଯୁକ୍ତି କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି ସମସ୍ୟାକୁ ନେଇ ଝାଲପଡା ସରପଞ୍ଚ ଭାରତୀ ମଳିକ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ସ୍ଥାନୀୟ ସାମାଜିକ କର୍ମୀ ମଣ୍ଟୁଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସମେତ ସଂପୃକ୍ତ ବିଭାଗର ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କୁ ଏ ବିଷୟରେ ଚିଠି ଲେଖି ଜଣାଇଛନ୍ତି ।