
ଭୁବନେଶ୍ୱର– ଜାତୀୟସ୍ତରୀୟ ମାଗାଜିନ୍ ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍ ରେ ପ୍ରକାଶ ପାଇବ । ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବିଭୂତି ମୁଣ୍ଡାଗାଡ଼ିଆ। ହାଣ୍ଡବଲ୍ ଖେଳ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମର୍ପଣ ତାଙ୍କୁ ଆଜି ଜାତୀୟସ୍ତରରେ ପରିଚୟ ପ୍ରଦାନ କରିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଆନୁକୂଲ୍ୟରେ କୃତୀତ୍ୱ ହାସିଲ୍ କରିଥିବା ବିଦ୍ୟାର୍ଥୀଙ୍କ ସଫଳ କାହାଣୀକୁ ନେଇ ଏକ ମାଗାଜିନ୍ ପ୍ରସ୍ତୁତ କରାଯାଉଛି । ଏହି ମାଗାଜିନ୍ ରେ ବିଭୂତି ମୁଣ୍ଡାଗାଡ଼ିଆଙ୍କ କାହାଣୀକୁ ସ୍ଥାନିତ କରାଯିବା ରାଜ୍ୟ ପାଇଁ ଗର୍ବର ବିଷୟ ।
ଗୋଟେ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରି ଭବିଷ୍ୟତରେ ଏକ ବଡ଼ ଅନ୍ତର୍ଜାତୀୟ ଖେଳାଳୀ ହେବା ପାଇଁ ସ୍ୱପ୍ନ ଦେଖିଛନ୍ତି ବିଭୂତି ମୁଣ୍ଡାଗୁଡ଼ିଆ । ବାପା ମିସ୍ତ୍ରୀ କାମ କରୁଥିବା ବେଳେ ମାଆ କରନ୍ତି ଛତୁ ଚାଷ । ଆର୍ôଥକ ସ୍ଥିତି ଭଲ ନଥିବା ସତ୍ୱେ ଭଲ ପାଠ ପଢ଼ି ଖେଳିକୁଦି ଭଲ ମଣିଷ ହେବା ବିଭୂତିଙ୍କ ଇଚ୍ଛା । ତାଙ୍କର ସେହି ଇଚ୍ଛାକୁ ପୂରଣ କରୁଛି କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ । ବର୍ତମାନ ଏବେ ବିଭୂତି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠ ପଢିବା ସହ ଖେଳ ପ୍ରତି ରୁଚି ରଖୁଥିବା ବିଭୂତି ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ଅନେକ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।
ଜୁନିଅର ନ୍ୟାସନାଲ୍ ସ୍କୁଲ ସ୍ପୋର୍ଟ୍ସ ହ୍ୟାଣ୍ଡବଲ ଚାମ୍ପିୟନସିପ୍ ରେ ସେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ । ତାଙ୍କର ଏହି ସଫଳତାକୁ ସମ୍ମାନ ଜଣାଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଜାତୀୟ ମାଗାଜିନ୍ ରେ ବିଭୂତିଙ୍କ କାହାଣୀକୁ ସ୍ଥାନ ଦେବାକୁ ଯାଉଛି । ପ୍ରକାଶ ଥାଉକି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ବାଳିକା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୦୪ ମସିହାରେ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଯୋଜନାରୁ ଶୁଭାରମ୍ଭ ହୋଇଥିଲା ।