
-
ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚାଷୀ ହେବେ ପ୍ରଶିକ୍ଷିତ
-
ଉତ୍ପାଦନ ହେବ ବହୁଗୁଣିତ, ଜୀବିକା ହେବ ଅଧିକ ସୁରକ୍ଷିତ: ମନ୍ତ୍ରୀ
ଭୁବନେଶ୍ୱର, “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ଵର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି, ମତ୍ସ୍ୟଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟ ଅଧିକାରୀମାନଙ୍କୁ ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଫଳରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହ ମତ୍ସ୍ୟଚାଷୀଙ୍କ ଜୀବନ-ଜୀବିକା ଅଧିକ ସୁରକ୍ଷିତ ହୋଇପାରିବ ।
ମାଛ ଚାଷରେ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବେ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଦୂରଦୃଷ୍ଟିକୁ ସାକାର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ।
ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରର କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ତିନି ମହଲା ବିଶିଷ୍ଟ ଏହି ପ୍ରଶିକ୍ଷଣ ଭବନରେ ୧୨୦ କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ, ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ପରୀକ୍ଷାଗାର, ପାଠାଗାର, କର୍ମଚାରୀ କକ୍ଷ, ଅତିଥି କକ୍ଷ, ଅଭ୍ୟର୍ଥନା କକ୍ଷ, ଭୋଜନାଳୟ, ଯାନ ରହଣି ସ୍ଥାନ ପାଇଁ ସୁବିଧା ରହିବ । ପ୍ରତି ବ୍ୟାଚ୍ରେ ୧୦୦ ଜଣ ପ୍ରଶିକ୍ଷାର୍ଥୀ ଏଠାରେ ପ୍ରଶିକ୍ଷଣ ନେଇ ପାରିବେ ।
ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟ ଅଧିକାରୀମାନେ ଉନ୍ନତ ଆଧୁନିକ ମାଛ ଚାଷ ପଦ୍ଧତି ଏବଂ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ପାଇବା ଫଳରେ ଆମର ମାଛ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଚାଷୀଙ୍କ ଆୟ ବହୁଗୁଣିତ ହୋଇପାରିବ । ଚାଷୀଙ୍କ ଦକ୍ଷତା ବିକାଶ ଏବଂ ଉନ୍ନତ ମାଛ ଚାଷ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ସଶକ୍ତୀକରଣ ଦିଗରେ ଏହା ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହ ଭାବ ବିନିମୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ବିଭାଗୀୟ ଅଧିକାରୀ, ମତ୍ସ୍ୟ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।