
ବାରାଣସୀ– ବିଏଚୟୁ କ୍ୟାମ୍ପସରେ ‘ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍’ ଅଭିଯାନରେ ରବିବାର ସାଇକେଲ ଚଲାଇ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାର ବାର୍ତା ଦେଇଥିଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ନିଖିଲ ଖଡସେ । ଏହା ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ମଣ୍ଡଭିଆ ବିଏଚୟୁ ଆମ୍ଫିଥିଏଟର ଗ୍ରାଉଣ୍ଡରୁ ‘ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍’ ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ନିଜେ ମଧ୍ୟ ପୂର୍ଣ୍ଣ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ ।
ଯୁବପିଢ଼ିଙ୍କ ମଧ୍ୟରେ ନିଶା ନିବାରଣ କରିବା ଲକ୍ଷ୍ୟରେ ଡିସେମ୍ବର ୨୦୨୪ ରେ ‘ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍’ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମାଣ୍ଡଭିଆ । ଏହି ଅଭିଯାନରେ, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ, ବିଏଚୟୁ ଛାତ୍ର, ‘ଯୁବ ଆଧ୍ୟାତ୍ମିକ ସମ୍ମିଳନୀ’ରେ ଯୋଗଦେବାକୁ ଆସିଥିବା ଅଂଶଗ୍ରହଣକାରୀମାନେ ମଧ୍ୟ ପୂର୍ଣ୍ଣ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ’ ବିଷୟ ଉପରେ ବାରାଣସୀରେ ଏକ ତିନି ଦିନିଆ ‘ଯୁବ ଆଧ୍ୟାତ୍ମିକ ସମ୍ମିଳନୀ’ ଅନୁଷ୍ଠିତ ହେଉଛି । ଏଥିରେ ୧୨୦ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ୬୦୦ ରୁ ଅଧିକ ଯୁବ ପ୍ରତିନିଧି ଅଂଶଗ୍ରହଣ କରିବାକୁ ଆସିଛନ୍ତି । ଏହି ପ୍ରତିନିଧିମାନେ ‘ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ’ ଅଭିଯାନ ସହିତ ମଧ୍ୟ ଜଡ଼ିତ । ଏହି ଅଭିଯାନ ସାରା ଦେଶରେ ଏକ ଆନ୍ଦୋଳନ (ଜନ ଆନ୍ଦୋଳନ) ଭାବରେ ଚାଲିଛି ।