
ନୂଆଦିଲ୍ଲୀ– ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏକ ନୂତନ ସ୍ୱଦେଶୀ ମ୍ୟାଲେରିଆ ଟୀକା ଆଡଫାଲ୍ସିଭାକ୍ସ ପ୍ରସ୍ତୁତ କରିଛି । ଏହି ଟୀକା ଆଇସିଏମଆର ର ଆଂଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଏବଂ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ବାୟୋଟେକ୍ନୋଲୋଜି ବିଭାଗ-ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜି ସହଯୋଗରେ ବିକଶିତ କରାଯାଇଛି । ଆଡଫାଲ୍ସିଭାକ୍ସ ନାମକ ଏକ ଟୀକା ନିର୍ମାଣ ପାଇଁ କମ୍ପାନୀଗୁଡ଼ିକଠାରୁ ଆବେଦନ ଆମନ୍ତ୍ରଣ କରିଛି ଆଇସିଏମଆର ।
ଆଇସିଏମଆର ଅନୁଯାୟୀ, ନୂତନ ମ୍ୟାଲେରିଆ ଟୀକାକୁ ବର୍ତମାନ ଆଡଫାଲ୍ସିଭାକ୍ସ ନାମ ଦିଆଯାଇଛି, ଯାହା ମ୍ୟାଲେରିଆ ପରଜୀବୀ ପ୍ଲାଜମୋଡିୟମ୍ ଫାଲସିପାରମ ବିରୁଦ୍ଧରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଜଣାପଡିଛି । ଆରଏମଆରସି ବୈଜ୍ଞାନିକ ଡକ୍ଟର ସୁଶୀଲ ସିଂହ କହିଛନ୍ତି ଯେ, ନୂତନ ଟୀକା ମଣିଷ ସଂକ୍ରମଣକୁ ରୋକିପାରିବ । ଆଡଫାଲ୍ସିଭାକ୍ସ ରେ ପିଏଫଏସ-୨୩୦ ଏବଂ ପିଏଫଏସ ୪୮/୪୫ ପ୍ରୋଟିନର ମିଶ୍ରଣ ରହିଛି । ଏହା ସଂକ୍ରମଣକୁ ରୋକୁଥିବା ଶକ୍ତିଶାଳୀ ଆଂଟିବଡି ସୃଷ୍ଟି କରେ । ଏହି ଟୀକା କେବଳ ମଣିଷରେ ସଂକ୍ରମଣକୁ ରୋକିବ ନାହିଁ ବରଂ ସମ୍ପ୍ରଦାୟରେ ମ୍ୟାଲେରିଆର ପ୍ରସାରକୁ ମଧ୍ୟ ହ୍ରାସ କରିବ ।