
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 23 ରୁ 26 ଜୁଲାଇ ପର୍ଯ୍ୟନ୍ତ ୟୁନାଇଟେଡ୍ କିଙ୍ଗଡମ୍ ଏବଂ ମାଲଦୀପ ଯାତ୍ରା କରିବେ। ଏହି ସୂଚନା ବୈଦେଶିକ ମନ୍ତ୍ରଣାଳୟ ରବିବାର ଜାରି କରିଥିବା ଏକ ବୟାନରେ ଦେଇଛଇ । ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ଭାରତର ଦୁଇଟି ମିତ୍ର ଦେଶ ସହିତ ରଣନୈତିକ ଭାଗିଦାରୀକୁ ଅଧିକ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ 23 ଓ 24 ଜୁଲାଇ ତାରିଖରେ ୟୁନାଇଟେଡ୍ କିଙ୍ଗଡମ୍ ଯାତ୍ରାରେ ରହିବେ। ଏହା ତାଙ୍କର ବ୍ରିଟେନକୁ ଚତୁର୍ଥ ଗସ୍ତ ହେବ। ନରେନ୍ଦ୍ର ମୋଦୀ ୟୁକେ ପ୍ରଧାନମନ୍ତ୍ରୀ ସାର୍ କିଅର୍ ସ୍ଟାର୍ମରଙ୍କ ନିମନ୍ତ୍ରଣରେ ବ୍ରିଟେନ୍ ଯିବେ। ଏହି ସମୟରେ, ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତି, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ସହ ଶିଷ୍ଟାଚାର ଭେଟ ମଧ୍ୟ କରିବେ। ବିବୃତ୍ତିରେ ଦେଖାଯାଇଛି ଯେ, ଏହି ଯାତ୍ରା ସମୟରେ ଉଭୟ ଦେଶ ମଧ୍ୟରେ ଥିବା ‘କମ୍ପ୍ରିହେନ୍ସିଭ୍ ଷ୍ଟ୍ରାଟେଜିକ୍ ପାର୍ଟନର୍ସିପ୍’ ର ଗତିପ୍ରଗତିର ସମୀକ୍ଷା କରାଯିବ। ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱ ସମସ୍ୟାଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିବେ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ 25 ରୁ 26 ଜୁଲାଇ ପର୍ଯ୍ୟନ୍ତ ମାଲଦୀପ୍ ଯିବେ। ଏହି ଗସ୍ତ ମାଲଦୀପ୍ ରାଷ୍ଟ୍ରପତି ଡ଼ା. ମୋହମ୍ମଦ ମୁଇଜ୍ଜୁଙ୍କ ନିମନ୍ତ୍ରଣରେ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ 26 ଜୁଲାଇରେ ମାଲଦୀପ୍ର ସ୍ୱାଧୀନତାର 60ତମ ବାର୍ଷିକୀ ଅବସରରେ ଆୟୋଜିତ ଅନୁଷ୍ଠାନରେ ‘ଗେଷ୍ଟ ଅଫ୍ ଅନର୍’ (ମାନ୍ୟତାପ୍ରାପ୍ତ ଅତିଥି) ଭାବେ ଯୋଗ ଦେବେ। ଏହି ସମୟରେ ସେ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ସହ ଦ୍ୱିପକ୍ଷୀୟ ବିଷୟ ଉପରେ ଆଲୋଚନା କରିବେ ଏବଂ ‘ଇଣ୍ଡିଆ-ମାଲଦୀପ୍ ଜଏଣ୍ଟ ଭିଜନ୍ ଫର କମ୍ପ୍ରିହେନ୍ସିଭ୍ ଇକନୋମିକ୍ ଏଣ୍ଡ ମେରିଟାଇମ୍ ସିକ୍ୟୁରିଟି ପାର୍ଟନର୍ସିପ୍’ ର ଗତିପ୍ରଗତି ମଧ୍ୟ ସମୀକ୍ଷା କରିବେ। ଏହି ଭିଜନ୍ ଅକ୍ଟୋବର 2024 ରେ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଭାରତ ଯାତ୍ରା ସମୟରେ ନିର୍ଦ୍ଧାରିତ ହୋଇଥିଲା।