
ଭୁବନେଶ୍ୱର,ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଫର୍ଶାଗୁଡାରେ ନବ ନିର୍ମିତ ଓଡ଼ିଆ ବର୍ଣ୍ଣମାଳା ଉଦ୍ୟାନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ ।
ଶ୍ରୀ ଗଣ୍ଡ ଏ ସମ୍ପର୍କରେ ସୂଚନା ଦେଇ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶାରେ ପ୍ରଥମ କରି ନବରଙ୍ଗପୁରରେ ତିଆରି ହୋଇଛି ଓଡ଼ିଆ ବର୍ଣ୍ଣମାଳା ଉଦ୍ୟାନ। କୋଡ଼ିଗାଁ ବନାଞ୍ଚଳ ଫର୍ଶାଗୁଡାରେ ୨୮ ଏକର କ୍ଷେତ୍ରଫଳରେ ନବ ନିର୍ମିତ ଏ ସୁନ୍ଦର ବର୍ଣ୍ଣମାଳା ଉଦ୍ୟାନ ଆଜି ଉଦଘାଟିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏ ସୁନ୍ଦର ଉଦ୍ୟାନକୁ ଉଦଘାଟିତ କରିଛନ୍ତି। ଏହି ଉଦ୍ୟାନ ଓଡ଼ିଆ ଅସ୍ମିତାର ଗୌରବ ବହନ କରିଛି। ଏ ଉଦ୍ୟାନରେ ବର୍ଣ୍ଣମାଳାର ଅ ଠାରୁ ଲ ପର୍ଯ୍ୟନ୍ତ ସମସ୍ତ ଅକ୍ଷରକୁ ନେଇ ଶ୍ରେଣୀ ଶ୍ରେଣୀ କରି ୧୨୦୦ ଚାରା ରୋପଣ ହୋଇଛି। ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଦ୍ୟାନରେ ରହିଛି ଫଳ ବାଟିକା, ଫୁଲ ବାଟିକା, ଔଷଧ ବାଟିକା, ମସଲା ବାଟିକା ଭଳି ଅନେକ ବିଭାଗ ସମ୍ବନ୍ଧୀୟ ବାଟିକା।
ଏହି ଉଦ୍ୟାନର ଅନ୍ୟ ଏକ ବିଶେଷତ୍ଵ ହେଉଛି ଭାରତର ମାନଚିତ୍ର ଏବଂ ମାନଚିତ୍ର ପ୍ରଦେଶ ଅନୁସାରେ ପ୍ରତ୍ୟେକ ପ୍ରଦେଶର ଚାରା ଆଉ ତାର ପରିଚୟ। ଯାହା ନିଶ୍ଚୟ ଭାବରେ ପରିଭ୍ରମଣରେ ଆସିଥିବା ପ୍ରତ୍ୟେକଙ୍କ ଭିତରେ ମାନସିକ ଶାନ୍ତି ପ୍ରଦାନ କରିବା ସହିତ ଜ୍ଞାନ ଓ ଶିକ୍ଷା ଦେବାରେ ସହାୟକ ହେବ। ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟକୁ ବଜାୟ ରଖିବ। ଏ ଉଦ୍ୟାନ ନିର୍ମାଣରେ ଅବଦାନ ଦେଇଥିବା ସମସ୍ତ ବନ ଅଧିକାରୀ ମାନଙ୍କୁ ସାଧୁବାଦ ପ୍ରଦାନ କରୁଛି। ଆଶା ଏ ବର୍ଣ୍ଣମାଳା ଉଦ୍ୟାନ ନବରଙ୍ଗପୁରକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବ ଏବଂ ବର୍ଣ୍ଣମାଳା ଶିକ୍ଷାରେ ଏହା ଏକ ସହଯୋଗ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।