
ଜୟପୁର– କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅସ୍ତିତ୍ୱ ହରାଉଛି ଓଡ଼ିଆ ଭାଷା । କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକରେ ଏପରି ଦେଖିବାକୁ ମିଳିଛି । ପିଲା ଅଭାବରୁ ଓଡ଼ିଶାର ୬ ବିଦ୍ୟାଳୟ ବନ୍ଦ ହୋଇଥିଲା ବେଳେ ତେଲୁଗୁ ପଢ଼ିବାକୁ ୪ ପଞ୍ଚାୟତର ୩୦ ପିଲା ଆନ୍ଧ୍ର ଯାଉଛନ୍ତି । ଆଦିବାସୀ ବହୁଳ ବନ୍ଧୁଗାଁ ବ୍ଲକର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ସୀମାକୁ ଲାଗିଛି । ଆନ୍ଧ୍ରର ବଡ଼ ସହର ପାର୍ବତୀପୁରମ ଉପରେ ବ୍ଲକ୍ ର ଲୋକ ଅଧିକାଂଶ କାମ ପାଇଁ ନିର୍ଭର କରୁଛନ୍ତି । ତେଣୁ ତେଲୁଗୁ ଭାଷା ଲୋକଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଛି । ଏହି କାରଣରୁ ଓଡ଼ିଆ ବଦଳରେ ତେଲୁଗୁ ପଢ଼ାଇବା ପାଇଁ ଅଧିକାଂଶ ଅଭିଭାବକ ଆଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବରୁ ଓଡ଼ିଶାର କିଛି ବିଦ୍ୟାଳୟରେ ଓଡ଼ିଆ ସହ ତେଲୁଗୁ ଭାଷା ଶିକ୍ଷା ନିମନ୍ତେ ଶିକ୍ଷକ ନିଯୁକ୍ତି ହୋଇଥିଲେ । କାଳକ୍ରମେ ଶିକ୍ଷକ ନିଯୁକ୍ତି ବନ୍ଦ ହେବାରୁ ତେଲୁଗୁ ଶିକ୍ଷା ବନ୍ଦ ହୋଇଗଲା । ଅନ୍ୟପଟେ ତେଲୁଗୁ ଶିକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ଆନ୍ଧ୍ର ପଠାଉଛନ୍ତି । ଯାହାଫଳରେ ପିଲା ଅଭାବ ହେବାରୁ ଓଡ଼ିଶାର କାପଲଡ଼ା ପଞ୍ଚାୟତ ଅନ୍ତର୍ଗତ ତାଡ଼ିୱାଲସା, ଜୟକଟା, ସାନବାଙ୍କିଡ଼ି, ମାନିକିୱାଲସା, ଏମ୍ଫାବାଲସା ଏବଂ ପମାଗଣ୍ଡା ପଞ୍ଚାୟତର ଜାରୱା ଓ ସିରାଝଲାସ୍ଥିତ ବିଦ୍ୟାଳୟ ବନ୍ଦ ହୋଇଯାଇଛି । ତେଲୁଗୁ ଭାଷା ବହୁଳ ଗାଁର ପିଲାମାନେ ଓଡ଼ିଶା ସୀମାଠାରୁ ୨ ରୁ ୫ କି.ମି. ମଧ୍ୟରେ ରହିଥିବା ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଯାଉଛନ୍ତି । କିଛି ପିଲା ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି । ଯଦିଓ ପିଲା ଦୂର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଗଲେ ମାଧ ସିଂ ହାତଖର୍ଚ୍ଚ ଯୋଜନାରେ ସହାୟତା ମିଳୁଛି । ତେଣୁ ରାଜ୍ୟ ସରକାର ଗୁରୁତ୍ୱ ଓଡିଶା ଭାଷାର ପ୍ରଚାର ପ୍ରସାର ସହ ଶିକ୍ଷକ ନିଯୁକ୍ତି ଆଦି କରିବାକୁ ମତ ପ୍ରକାଶ ପାଇଛି ।