
ଭୁବନେଶ୍ବର,ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି I ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍. ଆୟାର, ଅବସରପ୍ରାପ୍ତ ଶିକ୍ଷା ବିଭାଗର ପ୍ରଫେସର ଡ଼. ବିମଳ ଚରଣ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳୀ , ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଉପ ନିର୍ଦ୍ଦେଶିକା ଶ୍ରୀମତୀ ସିଏଚ୍. ବିଜୟ ଲକ୍ଷ୍ମୀ ଏବଂ ଡ଼. ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ I
ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 125 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ଏହି ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅନେକ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଶେଷ କରି ସେମାନଙ୍କ ବ୍ୟକ୍ତିଗତ ବିକାଶ ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଶିକ୍ଷକମାନେ ପ୍ରଶିକ୍ଷିତ ହେଲେ ସେମାନେ ଆଗାମୀ ପିଢ଼ିକୁ ସଠିକ୍ ଢଙ୍ଗରେ ଗଢ଼ି ପାରିବେ । ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ଆୟାର୍ ଯୋଗ ଦେଇ କହିଛନ୍ତି, ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ହିଁ ସେମାନଙ୍କ ଶିକ୍ଷକତା ଯାତ୍ରାର ଶୁଭାରମ୍ଭ ହୋଇଛି । ଏହିଠାରୁ ବାହାରିବା ପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ କରିବେ ଓ ସମାଜରେ ଏକ ପରିବର୍ତ୍ତନ ଆଣିବେ ବୋଲି ମତ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ଆୟାର୍ ।
ସେହିପରି ପ୍ରଫେସର ଶ୍ରୀ ସ୍ବାଇଁ ଶ୍ରେଣୀଗୃହରେ ଶିକ୍ଷକମାନେ କିପରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବେ ତଥା NEP – 2020 ଉପରେ କାର୍ଯ୍ୟ କରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ସ୍ୱାଇଁଙ୍କ ମତରେ ଶିକ୍ଷା ବ୍ୟବସ୍ଥା ଚାରୋଟି ସ୍ତମ୍ଭକୁ ନେଇ ଗଠିତ, ଯଥା- ଜ୍ଞାନ ଆହରଣ ଇଚ୍ଛା, ଜ୍ଞାନକୁ କାର୍ଯ୍ୟରେ ଲଗାଇବା, ଭଲ ମଣିଷ ହେବା ଏବଂ ମିଳିମିଶି ରହିବା ।
ତେବେ, କାର୍ଯ୍ୟକ୍ରମକୁ ପିଜିଟି ଶିକ୍ଷୟିତ୍ରୀ ଶୁନୁଲତା ଘଡ଼ାଇ ପରିଚାଳନା କରିଥିବା ବେଳେ ପିଜିଟି ଶିକ୍ଷକ ଶ୍ରୀ ଦିବ୍ୟସିଂହ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ପ୍ରଶିକ୍ଷଣକୁ ଆହୁରି କିପରି କ୍ରୀୟାଶିଳ ଏବଂ ଉନ୍ନତ କରାଯାଇପାରିବ ସେ ନେଇ ପ୍ରଶିକ୍ଷାର୍ଥୀମାନେ ମତ ପୋଷଣ କରିଥିଲେ ।