
-
କ୍ଷିରୋଦଙ୍କୁ ମିଳିଲା ନୂଆ ଜୀବନ
ଭୁବନେଶ୍ୱର– କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଂଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ୧୦ ବର୍ଷର ବାଳକ କ୍ଷିରୋଦ ଜାମୁଡ଼ାଙ୍କୁ ନୂଆ ଜୀବନ ମିଳିଛି।
ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରେ କ୍ଷିରୋଦ ଏକ ସଡ଼କ ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିଲେ । କ୍ଷିରୋଦଙ୍କୁ ପ୍ରଥମେ ହରିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଗଲାପରେ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଟ୍ରମା କେନ୍ଦ୍ରକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଟ୍ରମା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ପରେ ଚିକିତ୍ସକମାନେ ତାଙ୍କ ଦେହରେ ହିମୋଗ୍ଲୋବିନ ମାତ୍ରା କମ ଥିବାର ଲକ୍ଷ୍ୟ କରିଥିଲେ। ତେଣୁ, ବିଶେଷଜ୍ଞ ଡାକ୍ତରମାନେ ତାଙ୍କୁ ଆବଶ୍ୟକୀୟ ଆଶୁ ଚିକିତ୍ସା ଦେଇଥିଲେ । ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ମାନକ ଗୁଡିକ ଅସ୍ତ୍ରୋପଚାର ସ୍ଥିତିକୁ ଆସିଲା ପରେ ଅର୍ଥୋପେଡିକ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।
ଏଥିପାଇଁ ଅର୍ଥୋପେଡିକ ପ୍ରଫେସର ଅଶୋକ କୁମାର ନାୟକ, ଆନେସ୍େଥସିଆ ପ୍ରଫେସର ଦେବାଶିଷ ସ୍ୱାଇଁ, ଡାକ୍ତର ଅନନ୍ତ ନାରାୟଣ ପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ନାୟକଙ୍କୁ ନେଇ ଏକ ବିଶେଷଜ୍ଞ ଟିମ ଗଠନ କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ଏବେ କ୍ଷିରୋଦଙ୍କୁ ଟ୍ରମା କେୟାର ଆଇସିୟୁରେ ୨୪ ଘଂଟିଆ ନିରୀକ୍ଷଣ ପାଇଁ ରଖାଯାଇଛି ।
ବିଶେଷଜ୍ଞ ଟିମ କ୍ଷିରୋଦଙ୍କର ଅସ୍ତ୍ରୋପଚାର ପରବର୍ତୀ ସ୍ଥିତି ନେଇ ଆତ୍ମସନ୍ତୋଷ ବ୍ୟକ୍ତ କରିବା ସହ ସେ ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।