
ଭୁବନେଶ୍ୱର,ଜଣାଶୁଣା ଚିକିତ୍ସକ, ରାଜନେତା ତଥା ସମାଜସେବୀ ଡାକ୍ତର ନବକିଶୋର ରାଉତଙ୍କ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ରାଉତ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଅଂଚଳରେ ଜଣେ “ଦାଢି ଡାକ୍ତର” ଭାବେ ପରିଚିତ ଥିଲେ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସରକାରୀ ଚାକିରିରୁ ଅବସର ନେବା ପରେ ରୋଗୀ ସେବା କରିବା ସହ ରାଜନୀତିରେ ବି ସେ ସକ୍ରିୟ ଥିଲେ । ସ୍ୱର୍ଗତଃ ରାଉତ ପିପିଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ବିଧାନସଭା ପ୍ରାର୍ଥୀ ହୋଇଥିଲେ । ସ୍ୱର୍ଗତଃ ରାଉତ ଅଟଳ ସମ୍ମାନରେ ସମ୍ମାନିତ ହୋଇଥିଲେ । ତେଣୁ ସ୍ୱର୍ଗତଃ ରାଉତଙ୍କ ବିୟୋଗରେ ରାଜନୀତି ଓ ଚିକିତ୍ସା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ସ୍ୱର୍ଗତଃ ରାଉତଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।