
କେନ୍ଦୁଝର– ଆଜି କେନ୍ଦୁଝର ପୋଲିସ୍ କୁ ମିଳିଛି ବଡ ସଫଳତା। ଏକ ଆନ୍ତଃ ରାଜ୍ୟ ଗାଡି ଚୋରି ରାକେଟର ପର୍ଦ୍ଦାଫାଶ କରିଛି କେନ୍ଦୁଝର ଜିଲ୍ଲା ପୋଲିସ୍। ଏହା ସହ ୨୬ଟି ଚାରି ଚକିଆ ଗାଡ଼ି ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପ୍ରକାଶ ଯେ, ଗତ ୨ ତାରିଖରେ ରାମଚନ୍ଦ୍ରପୁର ଥାନାରେ ବଳରାମ ବେହେରା ନାମକ ବ୍ୟକ୍ତି ତାଙ୍କ ବୋଲେରୋ ଗାଡ଼ିକୁ ରାତିରେ ଘରୁ ଚୋରି କରିନେଇଥିବା ଅଭିଯୋଗ କରିଥଲେ। ସିସିଟିଭି ଫୁଟେଜ ଆଧାରରେ ଜିଲ୍ଲା ପୋଲିସର ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇ ଏହି ଗ୍ୟାଙ୍ଗ ର ସନ୍ଧାନ କରିଥଲେ। ଏହି ସନ୍ଧାନ ବେଳେ କେନ୍ଦୁଝର ଜିଲ୍ଲା ପୋଲିସ ପଡୋଶୀ ମୟୂରଭଞ୍ଜ ଜିଲ୍ଲା ପୋଲିସର ମଧ୍ୟ ସହାୟତା ନେଇଥିଲେ। ଏହା ସନ୍ଧାନ ବେଳେ ପୋଲିସ ଦୁଇ ଜଣ ରାଇରଙ୍ଗପୁରର ଏସ କେ ୱାଜିଦ ଓ ଝାଡ଼ଖଣ୍ଡର ଜୟୀ ସିଟକୁ ଧରିବାରେ ସଫଳ ହୋଇଥିଲା। ତାଙ୍କୁ ଧରି ପଚରା ଉଚୁରା କରିବାରୁ ତାଙ୍କ ଠାରୁ ୨୬ ଟି ବିଭିନ୍ନ ମଡେଲର ଚାରି ଚକିଆ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲା ଜିଲ୍ଲା ପୋଲିସ। ସେମାନେ ଏହି ଗାଡିଗୁଡିକୁ ଗୋରୁ ଚୋରି, ଡକାୟତି ଆଦିରେ ବ୍ୟବହାର କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦଗଡୁ ପ୍ରକାଶ କରିଛନ୍ତି। ଏହା ସହ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।