
ଭୁବନେଶ୍ୱର– ସୌମ୍ୟଶ୍ରୀ ବିଶି ମୃତ୍ୟୁକୁ ନେଇ ରାଜନୀତି କରୁଛି ଛାତ୍ର ବିଜେଡି ଓ କଂଗ୍ରେସ ବୋଲି ଅଭିଯୋଗ ଆଣିଛି ଏବିଭିପି। ବୁଧବାର ଏବିଭିପି ବାଣୀବିହାର କ୍ୟାମ୍ପସରୁ ନେଇ ବାଣୀବିହାର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାଲି କରିଥିଲା। ଏହା ସହ ଦୀର୍ଘ ୧ ଘଂଟା ଧରି ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲା।
ଏବିଭିପି ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି ଯେ ସୌମ୍ୟଶ୍ରୀ ଲଢେଇ କରିବା ଦିନରୁ ହିଁ ଏବିଭିପି ତା ସହିତ ଥିଲା। ଦୁଃଖର ବିଷୟ ସେ ସମୟରେ ଛାତ୍ର ବିଜେଡି ଓ କଂଗ୍ରେସ ସୋସିଆଲ ମିଡିଆରେ ଝିଅକୁ ଅଶାଳୀନ ମନ୍ତବ୍ୟ ଦେଉଥିଲେ। ଏମିତିକି ଚରିତ୍ର ସଂହାର କରିବାକୁ ପଛେଇ ନଥିଲେ। ଆଜି ସେ ଝିଅର ମୃତ୍ୟକୁ ନେଇ ହିନ ରାଜନୀତି କରୁଛନ୍ତି। ସେମାନେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉ। ସେ ଝିଅକୁ ମାନସିକ ଚାପ ପକେଇଛନ୍ତି। ତାକୁ ମୃତ୍ୟୁ ପାଇଁ ସୋସିଆଲ ମିଡିଆରେ କହିଛନ୍ତି। ଆଉ ଏବେ ମିଛ କାନ୍ଦଣା କାନ୍ଦୁଛନ୍ତି। କଲେଜ କ୍ୟାମ୍ପସରେ ଆଇସିସି ଗଠନ କେବଳ ନୁହେଁ କମିଟି ସବୁ ଅଭିଯୋଗକୁ ଗୁରୁତ୍ୱର ସହ ନେଉ ବୋଲି ଦାବି ରଖିଛନ୍ତି। ସେପଟେ ଛାତ୍ରୀ ମୃତ୍ୟୁ ଘଟଣାରେ ସମୃକ୍ତ ଅଧକ୍ଷ ଓ ଅଧ୍ୟାପକଙ୍କ ଉପରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଏବିଭିପି।