
ଭୁବନେଶ୍ୱର– ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ। ଘେରାଉ ବେଳେ ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ଏଠି ସିଷ୍ଟମ ପୁରା ଫେଲ। ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦାବି କରିଛନ୍ତି।
କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଲାମ୍ବା କହିଛନ୍ତି, ରାହୁଲ ଗାନ୍ଧୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତର ସୋସିଆଲ ମିଡିଆରେ ଖୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ଆମ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ତାଙ୍କୁ ବିଧାନସଭାରୁ ବାହାର କରିଦେଲେ। ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିଲା। ସେ ସମସ୍ତଙ୍କୁ ଜଣାଇ ଥିଲା। ହେଲେ ସରକାର ନୀରବ ଥିଲେ। ଓଡିଶା ମହିଳାଙ୍କ ପାଇଁ ମୃତ୍ୟୁ କୂପ ସାଜିଛି। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଆଦୌ ଚିନ୍ତିତ ନୁହନ୍ତି। ଗୋଟେ ଧାଡ଼ି ବି ତାଙ୍କ ପାଇଁ ଲେଖି ନାହାନ୍ତି। ରାଷ୍ଟ୍ରପତି ଚିନ୍ତା ପ୍ରକଟ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧ ଚୁପ ଥିଲେ। କିଛି କଲେନି। ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଓଡିଶାରେ ଚାଳିଶ ହଜାର ମହିଳା ଜିଖୋଜ। ପ୍ରଧାନମନ୍ତ୍ରୀ ଯଦି ଏହି ଝିଅକୁ ଦେଖା କରିଥାନ୍ତେ ତେବେ ସେ ଆଜି ମାରିନଥାନ୍ତା। ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ହଲାଇ ଦେଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ସମେତ ନଅ ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି। ଓଡିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡ଼ରୁଛି। ରାଜନୈତିକ ହସ୍ତକ୍ଷେପ ବଢିଛି। ପୁଲିସ ଉପରେ ଚାପ ବଢିଛି। ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ। ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ। ସଡ଼କରୁ ସଂସଦ ଯାଏ ଲଢ଼େଇ ହେବ। ଓଡିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ। ଘରୁ ବାହାରନ୍ତୁ। ମହିଳା ଅପରାଧକୁ ସରକାର ଚାହିଁଲେ ରୋକି ପାରିଥାନ୍ତେ ।