ଗଞ୍ଜାମ- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ବ୍ରଜନଗର ଅଂଚଳରେ ରହୁଥିବା ସାମ୍ବାଦିକ ଡା. ହୃଷିକେଶ ମହାନ୍ତିଙ୍କ ଘରୁ ଟଙ୍କା ଚୋରି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗଣେଷନଗରର ସାଗର ମୂଳି (୨୦), ଲକ୍ଷ୍ମୀନୃସିଂହ ସାହିର କାଳିଆ ସେଠୀ (୨୪), ସିଟି ହାଇସ୍କୁଲ ହରିଜନ ବସ୍ତିର ଏମ୍. କୋଟେଶ୍ୱର ରାଓ । ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ୨୦୧୯ ଜୁନ୍ ୧୭ ତାରିଖ ଅପରାହ୍ନରେ ସାମ୍ବାଦିକ ଶ୍ରୀ ମହାନ୍ତି ଘରେ ଶୋଇଥିଲେ । ତାଙ୍କ ପ୍ୟାଂଟ ପକେଟରେ ୧୦ ହଜାର ଟଙ୍କା ରଖି ଶୋଇଥିବା ବେଳେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ଥାନା ପୋଲିସ କେସ୍ ନଂ ୧୫୫/୧୯ ଧାରା ୩୮୦ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ଆଜି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଏସଡ଼ିଜେଏମ ସରୋଜିନୀ ସାହୁ ଅଭିଯୁକ୍ତ ମାନଙ୍କ ଜାମିନ୍ ନାମାଞ୍ଜୁର କରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ଏପିପି ସୌଭାଗ୍ୟବତୀ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।