
ନୂଆଦିଲ୍ଲୀ– ଏଣିକି ଦେଶର ସମସ୍ତ ବିଦ୍ୟାଳୟ ଗୁଡିକରେ ‘ତେଲ ବୋର୍ଡ’ ଲଗାଯିବ । ଯାହାଦ୍ୱାରାକି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଖାଦ୍ୟରେ ଅଧିକ ତେଲ ଏବଂ ଏହାର କୁପ୍ରଭାବ ବିଷୟରେ ସଚେତନ କରି ଫିଟନେସକୁ ପ୍ରୋତ୍ସାହିତ କରାଯାଇପାରିବ ।
କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଦ୍ୱାରା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ପଠାଯାଇଥିବା ଏକ ସରକାରୀ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସ୍ଥୂଳତା ସମସ୍ୟା ଯୋଗୁଁ ଏହି ନିଷ୍ପତି ନିଆଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ- ୫, ୨୦୧୯-୨୧ ) ଅନୁଯାୟୀ, ସହରାଚଂଳରେ ପ୍ରତି ୫ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଅଧିକ ଓଜନ କିମ୍ବା ମେଦବହୁଳର ଶିକାର ହୋଇଛନ୍ତି ।
୨୦୨୫ ମସିହାରେ ଦି ଲାନସେଟରେ ପ୍ରକାଶିତ ଗ୍ଲୋବାଲ୍ ବର୍ଡନ ଅଫ୍ ଡିଜିଜ୍ (ଜିବିଟି ୨୦୨୧)ର ରିପୋର୍ଟ ଦର୍ଶାଉଛି ଯେ, ଭାରତରେ ୧୮ କୋଟି ବୟସ୍କ ଅଧିକ ଓଜନ କିମ୍ବା ମେଦବହୁଳର ଶିକାର ଥିଲେ, ଅନ୍ୟପକ୍ଷରେ ଏହି ସଂଖ୍ୟା ୨୦୫୦ ସୁଦ୍ଧା ବୃଦ୍ଧି ପାଇ ୪୪.୯ କୋଟିରେ ପହଂଚିବାର ଅନୁମାନ କରାଯାଉଛି । ଏହି ସଂଖ୍ୟା ଭାରତକୁ ବିଶ୍ୱରେ ସ୍ଥୂଳତାର ଦ୍ୱିତୀୟ ସର୍ବାଧିକ ବୋଝ ସହୁଥିବା ଦେଶ କରିବ ।
ଶିକ୍ଷା ନିର୍ଦ୍ଦେଶକ ଡଃ. ପ୍ରଜ୍ଞା ଏମ୍. ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ ଚିଠିରେ ଅନେକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ବିଦ୍ୟାଳୟ ଗୁଡିକର ସାର୍ବଜନିକ ସ୍ଥାନ ଯେପରିକି କାଫେଟେରିଆ, ଲବି, ବୈଠକ କକ୍ଷ ଇତ୍ୟାଦିରେ ସ୍ଥିର କିମ୍ବା ଡିଜିଟାଲ ‘ତେଲ ବୋର୍ଡ’ ଲଗାଇବା, ଯେଉଁଥିରେ ଅଧିକ ତେଲ ବ୍ୟବହାରର କ୍ଷତି ଦର୍ଶାଯିବ । ସ୍କୁଲର ସମସ୍ତ ସରକାରୀ ଷ୍ଟେସନାରୀ ଯେପରିକି ଲେଟରହେଡ୍, ଲଫାପା, ନୋଟପ୍ୟାଡ୍ ଇତ୍ୟାଦିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବାର୍ତା ମୁଦ୍ରିତ ହେବା ଉଚିତ୍, ଯାହାଦ୍ୱାରା ଛାତ୍ର ଏବଂ କର୍ମଚାରୀମାନେ ସ୍ଥୂଳତା ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରତିଦିନ ପ୍ରେରଣା ପାଇପାରିବେ ।