
ନୂଆଦିଲ୍ଲୀ– ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଜମ୍ମୁ-କାଶ୍ମୀରକୁ ପୁନର୍ବାର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି କଂଗ୍ରେସ । ଏହି ଚିଠି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଠାଇଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ଗତ ୫ ବର୍ଷ ଧରି, ଜମ୍ମୁ ଏବଂ କାଶ୍ମୀରର ଲୋକମାନେ ନିରନ୍ତର ଭାବରେ ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପାଇଁ ଦାବି କରି ଆସୁଛନ୍ତି ଏବଂ ଏହି ଦାବି ସମ୍ପୂର୍ଣ୍ଣ ଭାବରେ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ଆଧାରିତ । ସ୍ୱାଧୀନ ଭାରତର ଇତିହାସରେ ଏହା ପ୍ରଥମ ଥର ଯେ ଏକ ପୂର୍ଣ୍ଣ ରାଜ୍ୟକୁ କେନ୍ଦ୍ରଶାସିତ ଅଂଚଳରେ ପରିଣତ କରାଯାଇଛି । ଅତୀତରେ କିଛି କେନ୍ଦ୍ରଶାସିତ ଅଂଚଳକୁ ରାଜ୍ୟ ମାନ୍ୟତା ଦିଆଯାଇଛି, କିନ୍ତୁ ଜମ୍ମୁ ଓ କାଶ୍ମୀରର ମାମଲା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଭୂତପୂର୍ବ ଅଟେ ।