
ନୂଆଦିଲ୍ଲୀ– ଉତର ପ୍ରଦେଶର ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ଚ୍ୟାଲେଞ୍ଜ କରି ଏକ ନୂତନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଉତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଜଷ୍ଟିସ୍ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଅନ୍ୟ ବିଚାରାଧୀନ ଆବେଦନ ସହିତ ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲକ୍ଷ୍ନୌର ସାମାଜିକ କର୍ମୀ ରୂପରେଖା ବର୍ମା ଏହି ଆବେଦନ ଦାୟର୍ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଏହି ଆଇନ ଭିନ୍ନ ଧର୍ମର ଦମ୍ପତିଙ୍କୁ ହଇରାଣ କରିବାର ଏକ ମାଧ୍ୟମ ପାଲଟିଛି । ଆବେଦନରେ ଦାବି କରାଯାଇଛି ଯେ, ମାମଲାର ଶୁଣାଣି ପର୍ଯ୍ୟନ୍ତ ଏହି ଆଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦିଆଯାଉ । ଆବେଦନରେ କୁହାଯାଇଛି ଯେ, ଏହି ଆଇନ ନାଗରିକଙ୍କ ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି ।
ଆବେଦନରେ କୁହାଯାଇଛି ଯେ, ଉତରପ୍ରଦେଶ ଧର୍ମାନ୍ତରୀକରଣ ସଂଶୋଧନ ଆଇନର ଧାରା ୨ ଏବଂ ୩ ବହୁତ ଦ୍ୱନ୍ଦ୍ୱପୂର୍ଣ୍ଣ । ଏହି ଆଇନ ମୁକ୍ତ ଅଭିବ୍ୟକ୍ତି ଏବଂ ଧାର୍ମିକ ବିଶ୍ୱାସକୁ ଆଘାତ କରୁଛି । ଉତରପ୍ରଦେଶ ଧର୍ମାନ୍ତରୀକରଣ ସଂଶୋଧନ ଆଇନ ଭେଦଭାବପୂର୍ଣ୍ଣ ଅଟେ । ଏହି ଆଇନରେ ପ୍ରଶାସନ ପକ୍ଷରୁ ଅପବ୍ୟବହାର ରୋକିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯଦି କୌଣସି ନିର୍ଦ୍ଦୋଷ ନାଗରିକକୁ ଏହି ମାମଲାରେ ଫସାଇ ଦିଆଯାଉଛି, ତେବେ ତାକୁ ରୋକିବା ନିମନ୍ତେ କୌଣସି ବ୍ୟବସ୍ଥା ଏହି ଆଇନରେ ନାହିଁ ।