
ଚଣ୍ଡିଗଡ– ବିଶ୍ୱର ସବୁଠାରୁ ବୟସ୍କ ଆଥଲେଟ ଫୌଜା ସିଂହଙ୍କ ବିୟୋଗ ହୋଇଛି । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ସିଂହ ଗତ ରାତିରେ ପଞ୍ଜାବର ଜଳନ୍ଧରରେ ଥିବା ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସେ 114 ବର୍ଷ ବୟସର ଥିଲେ। ପରିବାର ଅନୁସାରେ, ମଙ୍ଗଳବାର ଦିନ ସିଂହଙ୍କର ଅନ୍ତିମ ସଂସ୍କାର ତାଙ୍କର ପୈତୃକ ଗ୍ରାମରେ କରାଯିବ। ଫୌଜା ସିଂହ ଗତ କିଛି ବର୍ଷ ଧରି ଜଳନ୍ଧର ନିକଟ ବ୍ୟାସ ପିଣ୍ଡ ନାମକ ଗାଁରେ ତାଙ୍କ ପୁଅ ସହିତ ରହୁଥିଲେ। ଫୌଜା ସିଂହ “ଟର୍ବନ ଟୋରନେଡୋ” ନାମରେ ପରିଚିତ ଥିଲା। ପରିବାର ସଦସ୍ୟମାନେ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ସୋମବାର ସଂଧ୍ୟା ବେଳେ ଖାଇବା ପରେ ଫୌଜା ସିଂହ ଘର ବାହାରେ ବୁଲୁଥିଲେ, ସେତେବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ସେ ଗୁରୁତର ଆହତ ହୋଇ ପଡ଼ିଥିଲେ।
ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଗତକାଲି ରାତିରେ ତାଙ୍କ ବିୟୋଗ ହୋଇଛି । ଆଦମପୁର ଥାନା ପ୍ରଭାରୀ ହରଦେବ ସିଂହଙ୍କ ଅନୁସାରେ ଫୌଜା ସିଂହଙ୍କ ପୁଅଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଛି ।ଏବେ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଗାଡି ସଂପର୍କରେ ଜଣାପଡିନି ।
ଫୌଜା ସିଂହଙ୍କ ଜନ୍ମ 1911 ମସିହା, ଏପ୍ରିଲ 1 ତାରିଖରେ ପଞ୍ଜାବର ଜଳନ୍ଧର ଜିଲ୍ଲାର ବ୍ୟାସ ପିଣ୍ଡ ଗ୍ରାମରେ ହୋଇଥିଲା। ଯେତେବେଳେ ସେ 90 ବର୍ଷ ବୟସରେ ଆନ୍ତର୍ଜାତୀୟ ସ୍ତରରେ ମ୍ୟାରାଥନ୍ ଦୌଡ଼ ଆରମ୍ଭ କରିଥିଲେ ସେ ଚର୍ଚ୍ଚାକୁ ଆସିଥିଲେ। ଦୃଢ଼ ପରିଶ୍ରମ ଓ ଦମ୍ ଦ୍ୱାରା ସେ “ଟର୍ବନ ଟୋର୍ନେଡୋ” ଭାବରେ ପରିଚିତି ହୋଇଥିଲେ। 2004 ମସିହାରେ, ସେ 93 ବୟସରେ ଲଣ୍ଡନ୍ରେ ସେ ମାରାଥନ୍ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିଲେ। 2011 ମସିହାରେ, ଯେତେବେଳେ ସେ 100 ବର୍ଷ ବୟସରେ ଥିଲେ, ଟୋରୋଣ୍ଟୋରେ ମ୍ୟାରାଥନ୍ ସଫଳ ଭାବରେ ଦୌଡ଼ିଥିଲେ। ଫୌଜା ସିଂହକୁ ବିଶ୍ୱର ସବୁଠାରୁ ବୟସ୍କ ମ୍ୟାରାଥନ୍ ଧାବକ ଭାବରେ ଗଣାଯାଉଥିଲା। 1990 ମସିହାରେ ସେ ବିଦେଶକୁ ସିଫ୍ଟ ହୋଇଥିବା ବେଳେ ତାଙ୍କ ପାଖରେ ଇଂଲଣ୍ଡର ନାଗରିକତା ଥିଲେ। ସେ 100 ବର୍ଷ ବୟସରେ ମୋଟ 8ଟି ରେକର୍ଡ କରିଥିଲେ ଓ 2013 ମସିହାରେ ତାଙ୍କ 102ତମ ଜନ୍ମଦିନରେ ପ୍ରତିସ୍ପର୍ଦ୍ଧାମୂଳକ ଦୌଡ଼ରୁ ସନ୍ନ୍ୟାସ ଘୋଷଣା କରିଥିଲେ।