
-
ଜୁଲାଇ ୨୦ ରେ ରାଜ୍ୟସ୍ତରୀୟ ସେମି ଫାଇନାଲ ଓ ୨୨ରେ ଗ୍ରାଣ୍ଡ ଫାଇନାଲ
ଭୁବନେଶ୍ୱର,ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ଆୟୋଜନ ହେଉଛି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା । ଇତିମଧ୍ୟରେ ଏହି ପ୍ରତିଯୋଗିତାର ଦୁଇଟି ସୋପାନ ଯଥା ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସରିଯାଇଛି । ତିରିଶ ଗୋଟି ଜିଲ୍ଲା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ଭଉଣୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିଠୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଜେତାଙ୍କୁ ଇନଷ୍ଟିଚିୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରେ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧରେ ସାତଦିନିଆ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ପରେ ଜିଲ୍ଲାସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଜୁଲାଇ ୨୦ ତାରିଖରେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସେମିଫାଇନାଲ ଓ ଜୁଲାଇ ୨୨ ତାରିଖରେ ଏହାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ ।
ଆଜି ପ୍ରଶିକ୍ଷଣର ପ୍ରଥମ ଦିବସରେ ଇନଷ୍ଟିଚିୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରେ ପ୍ରତିଯୋଗୀମାନଙ୍କ ସ୍ଵାଗତ ଉତ୍ସବ ଅବସରରେ ମାଷ୍ଟର ସେଫ ଇଣ୍ଡିଆର ଷଷ୍ଠ ସଂସ୍କରଣ ବିଜେତା ସେଫ ଅବିନାଶ ନାୟକ, ହୋଟେଲ ମେ ଫେୟାର ଲାଗୁନର ଏକ୍ସକ୍ୟୁଟିଭ ସେଫ ସୁରଜ, ଇନଷ୍ଟିଚିୟୁଟ୍ ର ଅଧ୍ୟକ୍ଷ ଶ୍ରୀମତୀ ସାରଦା ଘୋଷ, ମିଶନ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ହେଲା ଆଗାମୀ ଦିନରେ ଅଧିକରୁ ଅଧିକରୁ ମହିଳା ଖାଦ୍ୟ ପ୍ରସ୍ତୁତ କ୍ଷେତ୍ରରେ ଉଦ୍ୟୋଗୀ ହେବାର ସ୍ୱପ୍ନ ପୂରଣ କରିବା ସହ ନିଜକୁ ଆର୍ଥିକ ସ୍ଵାବଲମ୍ବୀ କରି ଲକ୍ଷପତି ଦିଦି ହୋଇପାରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଆଞ୍ଚଳିକ, ପାରମ୍ପରିକ ଓ ବିସ୍ମୃତ ଖାଦ୍ୟ ଯଥା ମିଲେଟ, ମୁଢି ମାଂସ, ମାଣ୍ଡିଆ ଚକୁଳି, ସିଜା ପିଠା, ଛେନା ଝିଲ୍ଲୀ ଇତ୍ୟାଦି ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ଲୋକଲୋଚନକୁ ମଧ୍ୟ ଆସିପାରିବ ।
ଜୁଲାଇ ୨୨ରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲରେ ବିଚାରକଙ୍କ ଦ୍ଵାରା ଚୂଡ଼ାନ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳକୁ ଯଥାକ୍ରମେ ୨ ଲକ୍ଷ, ୧.୫ ଲକ୍ଷ ଓ ୧ ଲକ୍ଷ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ।