
-
ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ – ଧର୍ମେନ୍ଦ୍ର ପ୍ରଧାନ
-
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଲେ
-
ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଲେ
-
ରେଭେନ୍ସା ଅତୀତରେ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି
-
ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଓଡ଼ିଶାର ଇତିହାସକୁ ବ୍ୟାପକ କରିବା
-
ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଉତପ୍ରେରକ ଭଳି କାର୍ଯ୍ୟ କରିବ
-
ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାନ୍ତୁ
-
ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ
କଟକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ -୨୦୨୫ରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜିର ଭବ୍ୟ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଓଡ଼ିଶାର ବହୁ ଐତିହାସିକ ଘଟଣାର ବହୁ ଉତ୍ଥାନ ପତନର ଜୀବନ୍ତ ସାକ୍ଷୀ ଭାବରେ ବିଦ୍ୟମାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବା ମୋ ପାଇଁ ବହୁତ ଆନନ୍ଦର ମୁହୂର୍ତ୍ତ । ବିଶ୍ୱରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋଗଦାନ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ବଡ ଜନଆନ୍ଦୋଳନ ହୋଇଥିଲା ଏହି ଅନୁଷ୍ଠାନରେ । ତତ୍କାଳୀନ ମହାପୁରୁଷଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି । ମହାପ୍ରଭୁଙ୍କ ତୀର୍ଥକ୍ଷେତ୍ର ଯେତେ ପବିତ୍ର ରେଭେନ୍ସା ବି ସେତେ ପବିତ୍ର । ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମସାମୟିକ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ଚାହିଦା ବଢିଛି, ଯେଉଁ ଏଆଇକୁ ରେଭେନ୍ସା ଏବଂ ଜାତୀୟତାବାଦର ସମ୍ପର୍କ ଉପରେ ପ୍ରଶ୍ନ କଲେ ଉତ୍ତର ଆସୁଛି, ଓଡ଼ିଆ ଜାତୀୟତାବାଦ ଓ ରେଭେନ୍ସାର ଅନନ୍ୟ ସମ୍ପର୍କ ରହିଛି । ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନର ମୁଖ୍ୟ ମଞ୍ଚ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।
୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ । ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସ୍ୱପ୍ନ ଦେଖିବା ପାଇଁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି, ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାଇବାକୁ ହେବ । ଓଡ଼ିଶାରେ ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ । ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ ।