
ଭୁବନେଶ୍ୱର,ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି । ଏହି ପ୍ରଶିକ୍ଷଣରେ ୧୨୫ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର୍, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।
ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନନ୍ଦ କହିଛନ୍ତି, ସ୍ବର୍ଣ୍ଣାଭ ଭବିଷ୍ୟତ ଗଠନ ନିମନ୍ତେ ଶିକ୍ଷକମାନଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି । ଏହି ତାଲିମ୍ କାର୍ଯ୍ୟକ୍ରମ ସେହି ସୁଯୋଗ ଆଣିଦେଇଛି । ଏହି ତାଲିମ୍ କାର୍ଯ୍ୟକ୍ରମ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବ । ଏଥିସହ ସ୍ବ-ଅଧ୍ୟୟନକୁ ଗୁରୁତ୍ବ ଦେବା ଫଳରେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ବ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ସେହିପରି ନିର୍ଦ୍ଦେଶକ ଶ୍ରୀ ଆୟର୍ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତାଲିମ୍ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ତାଲିମ୍ କାର୍ଯ୍ୟକ୍ରମ ପିଜିଟି ଶିକ୍ଷକମାନଙ୍କ ବ୍ୟକ୍ତିଗତ ବିକାଶକୁ ଅଧିକ ଗୁରୁତ୍ବ ଦେବ । ଏଥିସହ ଚାରୋଟି ପର୍ଯ୍ୟାୟରେ ପିଜିଟି ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଥିବା ବେଳେ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ତାଲିମ୍ ଦିଆଯାଇଥିବା ସେ କହିଛନ୍ତି ।
ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ପରିଚାଳନା, ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ବିକାଶ, ଗ୍ରୁପ୍ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ଗଠନ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ । ଏଥିସହ ପୂର୍ବରୁ କରାଯାଇଥିବା ତାଲିମ୍ କାର୍ଯ୍ୟକ୍ରମରୁ ମତାମତ ଗ୍ରହଣ କରିବା ପରେ ଚଳିତ ତାଲିମ୍ କାର୍ଯ୍ୟକ୍ରମରେ ଆଇ-ଜିଓଟି କର୍ମଯୋଗୀ ଆପ୍ ର ବ୍ୟବହାର, ଧନ୍ଦାମୂଳକ ଶିକ୍ଷା, ଛାତ୍ରବୃତ୍ତି, ସୁସ୍ଥ ଶ୍ରେଣୀଗୃହ ପାଇଁ ବ୍ୟକ୍ତିଗତ ପୁଷ୍ଟିସାରସ୍ତର ବୃଦ୍ଧି ଓ ସ୍ୱାସ୍ଥ୍ୟର ଉନ୍ନତି, କ୍ଲାଇମେଟ୍ ରେଜିଲିଏଣ୍ଟ ବିଦ୍ୟାଳୟ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।