
ନୂଆଦିଲ୍ଲୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ କଂଗ୍ରେସରେ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଅନେକ ଭିଭିଆଇପି ମତଦାନ କରିଛନ୍ତିା
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ପତ୍ନୀ ସବିତା କୋବିନ୍ଦଙ୍କ ସହ ରାଷ୍ଟ୍ରପତି ଭବନ ସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ତାଙ୍କର ପତ୍ନୀ ଗୁରୁଶରଣ କୌର ନିର୍ମାଣ ଭବନ ଠାରେ ଥିବା ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଛନ୍ତି ।
କଂଗ୍ରେସ ନେତା ସୋନିଆ ଗାନ୍ଧୀ ତାଙ୍କର ଝିଅ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ବଡ୍ରାଙ୍କ ସହ ଯାଇ ନିଜର ମତାଧିକାର ପ୍ରୟୋଗ କରିଛନ୍ତି । ରାହୁଲ ଗାନ୍ଧୀ ନିର୍ମାଣ ଭବନ ଠାରେ ଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତୁଗଲକ କ୍ରିସେଂଟରେ ଥିବା ଏନଡିଏମସି ସ୍କୁଲରେ ଥିବା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମତଦାନ କରିବା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର । ଏଥିରେ ସେମାନେ ନିଜର ଯୋଗଦାନ ଦେବା ଉଚିତ ।
ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲ ଓ ତାଙ୍କ ସ୍ତ୍ରୀ ମାଲା ବୈଜଲ ଗ୍ରେଟର କୈଳାସରେ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ରାଜପୁର ରୋଡ ସିଭିଲ ଲାଇନ୍ସରେ ପୋଲିଂ ବୁଥରେ ଯାଇ ମତଦାନ କରିଛନ୍ତି ।