
ଭୁବନେଶ୍ୱର – ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ। ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା କରାଯିବ। ଆସନ୍ତାକାଲି କମିଶରନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ୍ କରାଯିବ। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ୧୪ ତାରିଖ ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ। ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ।
୧୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତନ ସମାରୋହରେ ଯୋଗ ଦେବେ। ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତନ ଉତ୍ସବରେ ଯୋଗ ଦେବା ପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିବେ। ସେହିଦିନ କଟକରେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ‘କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’ ପ୍ରଦାନ କରିବେ।