
ଭୁବନେଶ୍ୱର,ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ଗ୍ରାମ କୃଷ୍ଣଚନ୍ଦ୍ରପୁରରେ, ୫୦ ବର୍ଷୀୟା ସାନ୍ତାଳ ମହିଳା କବିତା ସିଂହଙ୍କ ଜୀବନ କାହାଣୀ ସାହସ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ। ଯେଉଁ ମହିଳା ଏକଦା ଦାରିଦ୍ର୍ୟର ଅନ୍ଧକାରରେ ହତାଶ ହୋଇଥିଲେ, ସେ ଆଜି ନିଜ ପରିବାରର ଭାଗ୍ୟ ପରିବର୍ତ୍ତନ କରିବା ସହିତ ସମଗ୍ର ସମାଜକୁ ନୂତନ ମାର୍ଗ ଦର୍ଶାଇଛନ୍ତି । କିଛି ବର୍ଷ ପୂର୍ବେ କବିତାଙ୍କ ଜୀବନ ଥିଲା ଅନିଶ୍ଚିତତାର ଏକ ଅନ୍ତହୀନ ଚକ୍ର । ଅଭାବଗ୍ରସ୍ତ ଜୀବନ, ଜରାଜୀର୍ଣ୍ଣ ଘର, ପିଲାଙ୍କ ଶିକ୍ଷା ପାଇଁ ଚିନ୍ତା, ପୋଷ୍ଟାକ ଖାଦ୍ୟ କିମ୍ବା ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଭଳି ମୌଳିକ ଆବଶ୍ୟକତା ମଧ୍ୟ ଏକ ସ୍ୱପ୍ନ ପରି ଲାଗୁଥିଲା।
କିନ୍ତୁ ନିଜ ସଂଘର୍ଷରୁ ହିଁ ଉଦ୍ଦେଶ୍ୟ ପାଇଲେ କବିତା । ମଦର ଟେରେସା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦାନ କରିବା କବିତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା । ଓଡ଼ିଶା ଜୀବିକା ମିଶନ (OLM)ର ବିଭିନ୍ନ ଯୋଜନା ଯେପରିକି କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF), ସୁଭଦ୍ରା, ଭଲନେରେବଲ ରିଡକ୍ସନ ଫଣ୍ଡ (VRF) ଆଦିର ସାହାଯ୍ୟରେ ସେ ଛେଳି ଓ କୁକୁଡ଼ା ପାଳନ କାର୍ଯ୍ୟ ଆରମ୍ଭ କଲେ । ପ୍ରତ୍ୟେକ ପଶୁର ଯତ୍ନ ନେଲେ ଏବଂ କ୍ରମାଗତ ଭାବରେ ତାଙ୍କର କଷ୍ଟସାଧ୍ୟ ପରିଶ୍ରମ ଫଳ ଦେବାକୁ ଲାଗିଲା ।
ଆଜି କବିତା ବାର୍ଷିକ ୧.୨୯ ଲକ୍ଷ ଟଙ୍କା ଆୟ କରୁଛନ୍ତି । ତାଙ୍କର ଏହି ଆର୍ଥିକ ସଶକ୍ତିକରଣ ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଇଛି। ସେ ନିଜ ଘରକୁ ପୁନର୍ନିର୍ମାଣ କରିଛନ୍ତି, ତାଙ୍କ ପରିବାର ପାଇଁ ଏକ ସୁରକ୍ଷିତ ଆଶ୍ରୟ ସୃଷ୍ଟି କରିଛନ୍ତି । ତାଙ୍କର ଝିଅ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ପୁତ୍ର ବିଏସସି ପଢ଼ୁଛନ୍ତି ଯାହା କବିତାଙ୍କ ସ୍ବପ୍ନ ସାକାର କରିଛି ।
କବିତା ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପରିମଳ କାର୍ଯ୍ୟକ୍ରମର ଏକ ପ୍ରେରଣାଦାୟୀ ନେତ୍ରୀ ଭାବରେ ଉଭା ହୋଇଛନ୍ତି। ବଡଯୋଡ଼ା ପଞ୍ଚାୟତରେ ୪୦୦ରୁ ଅଧିକ ଶୌଚାଳୟ ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ନେତୃତ୍ୱ ଓ ସମର୍ପଣ ତାଙ୍କୁ ଜିଲ୍ଲା ପ୍ରଶାସନର ସ୍ୱୀକୃତି ପ୍ରାପ୍ତି କରାଇଛି ।
ଚଳିତ ୨୦ ଜୁନ୍ ୨୦୨୫ରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବରେ ତାଙ୍କୁ ପାଞ୍ଚଜଣ ଆଦର୍ଶ ଲକ୍ଷପତି ଦିଦିଙ୍କ ମଧ୍ୟରୁ ଜଣେ ଭାବରେ ସମ୍ମାନିତ କରିଥିଲେ । ପାରମ୍ପରିକ ପୋଷାକରେ ସଭାମଞ୍ଚକୁ ଆସି ତାଙ୍କ ଆଖିରେ ଖେଳିଯାଇଥିବା ଲୁହ ସେଇ ମୁହୂର୍ତ୍ତରେ ସଭାକୁ ମୁଗ୍ଧ କରିଦେଇଥିଲା । ଆଜି କବିତା ସିଂହ କେବଳ ଜଣେ ଲକ୍ଷପତି ଦିଦି ନୁହଁନ୍ତି, ସେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପ୍ରତୀକ । ତାଙ୍କର ଏହି ଅସାଧାରଣ ଯାତ୍ରା ଏହା ଦର୍ଶାଏ ଯେ ସଠିକ୍ ସୁଯୋଗ, ପ୍ରଶିକ୍ଷଣ ଓ ସହାୟତା ପାଇଲେ ମହିଳାମାନେ କେବଳ ନିଜ ଜୀବନକୁ ନୁହେଁ, ସମଗ୍ର ସମାଜକୁ ବଦଳାଇପାରିବେ ।
ସମଗ୍ର ମୟୂରଭଞ୍ଜରେ ଆଜି କବିତାଙ୍କ ନାମ ଏକ ଆଲୋକସ୍ତମ୍ଭ ଭାବରେ ପ୍ରଜ୍ୱଳିତ, ଯାହା ହଜାର ହଜାର ମହିଳାଙ୍କୁ ଆତ୍ମବିଶ୍ୱାସ ଯୋଗାଇ ଦେବା ସହ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଉଛି ।