
ଶିମଲା– ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପାହାଡ଼ିଆ ଜିଲ୍ଲା ଚମ୍ବାରେ ଶୁକ୍ରବାର ସକାଳେ ଭୂକମ୍ପର ହାଲୁକା ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ 3.5 ରହିଛି । ସକାଳ 6ଟା 23ମିନିଟ୍ରେ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭବ ହୋଇଥିଲା। ଏହାର ପ୍ରଭାବ ଚମ୍ବା ଜିଲ୍ଲା ଓ ତାହାର ଆଖପାଖ ଅଞ୍ଚଳରେ ଅନୁଭବ କରାଯାଇଛି।
ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲା ଅନୁସାରେ, ଭୂକମ୍ପର କେନ୍ଦ୍ର ଚମ୍ବାରେ 32.36 ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ 76.18 ଡିଗ୍ରୀ ପୂର୍ବ ଦେଶାଂତରରେ ଥିଲା, ଏବଂ ଏହାର ଗଭୀରତା ଭୂପୃଷ୍ଠରୁ ପାଞ୍ଚ କିଳୋମିଟର ତଳେ ରେକର୍ଡ ହୋଇଛି। ଏହି ଭୂକମ୍ପ ଝଟ୍କା ଯୋଗୁ କୌଣସି ପ୍ରକାରର ଜୀବନ ଓ ଧନ ସମ୍ପତ୍ତିର କ୍ଷତି ହୋଇନାହିଁ।