ଭୁବନେଶ୍ୱର– ବିହାର ଓ ଏହାର ଆଖ ପାଖ ଅଂଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାର ଜିଲ୍ଲମାନଙ୍କରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ୧୩ ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି । ଏହି ସବୁ ଜିଲ୍ଲା ଗୁଡିକ ହେଲା ନୟାଗଡ , କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧାଳ ଗଂଜାମ, ପୁରୀ ଓ କନ୍ଧମାଳ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଜିଲ୍ଲା ଗୁଡିରେ ବର୍ଷା ସହ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।
ସେହିପରି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା , ବରଗଡ, କଳାହାଣ୍ଡି , ସୋନପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ ଘନ କୁହୁଡି ଦେଖାଦେବ ।
୯ ତାରିଖ ମଧ୍ୟାହ୍ନ ପର ଠାରୁ ୧୦ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଗଜପତି,ଗଂଜାମ, ରାୟଗଡା, ମାଲକାନଗିରି, କୋରାପୁଟ, କନ୍ଧମାଳ ର କିଛି ଅଂଚଳ ସମେତ ନବରଙ୍ଗପୁର, କଳାହାଣ୍ଡି, ଖୋର୍ଦ୍ଧା , ପୁରୀ , ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଂଜ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଅନୁଗୁଳ , ସୋନପୁର,କେନ୍ଦୁଝର , ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାରେ ଶୀତର ଲହରୀ ଜାରୀରହିବ । ସୁ୍ନ୍ଦରଗଡ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମା, ଅନୁଗୁଳ, ଢେଙ୍କାନାଳ , ଭଦ୍ରକ ଓ କଟକ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ୧୦ ତାରିଖ ପୂର୍ବାହ୍ନ ପର ଠାରୁ ପାଗରେ ପରିବର୍ତନ ଆସିବ । ବର୍ଷା ଛାଡିବା ସହ କିଛି ସ୍ଥାନରେ କୁହୁଡି ସହ ଶୀତ ଲହରୀ ଜାରୀ ରହିପାରେ ।