
କୋଲକାତା– ଦିଲ୍ଲୀରୁ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକମାନଙ୍କୁ ବାଂଲାଦେଶ ପଠାଯିବା ସଂପର୍କରେ ଗୁରୁତର ଅଭିଯୋଗ ଉପରେ କୋଲକାତା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ଅଦାଲତ ରାଜ୍ୟର ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ଦିଲ୍ଲୀର ମୁଖ୍ୟ ସଚିବଙ୍କ ସହିତ ଯୋଗାଯୋଗ କରି ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ।
ହାଇକୋର୍ଟରେ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପିଟିସନକାରୀଙ୍କ ଅଧିବକ୍ତା କହିଥିଲେ ଯେ ଦିଲ୍ଲୀରେ ପଶ୍ଚିମବଙ୍ଗର ଅନେକ ଶ୍ରମିକଙ୍କୁ ବାଂଲାଦେଶୀ ଭାବି ଗିରଫ କରାଯାଇଥିଲା ଏବଂ ପରେ ଦେଶରୁ ବାହାରକୁ ପଠାଯାଇଥିଲା। ଅଧିବକ୍ତା କହିଥିଲେ ଯେ ଏହି ଶ୍ରମିକମାନଙ୍କ ମଧ୍ୟରେ ଗୋଟିଏ ଆଠ ବର୍ଷୀୟ ଶିଶୁ ମଧ୍ୟ ଥିଲା, ଯାହାକୁ ତାଙ୍କର ମା’ ବାପା ସହିତ ଗିରଫ କରାଯାଇଥିଲା। ଏହା ଉପରେ କୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ତତ୍କାଳ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।