ଭୁବନେଶ୍ୱର– ଭୁବନେଶ୍ୱରର ମାର୍କେଟ ବିଲଡିଂରେ ଅଚାନକ ପଶି ଆକ୍ରମଣ କରାଯାଇଥିବା ମାମଲାରେ କମିଶନରେଟ ପୋଲିସ ଆଉ ଜଣେ ଅଭିଯୁକ୍ତ ଗୋପିନାଥ ନାୟକକୁ ଗିରଫ କରିଛି । ଭୁବନେଶ୍ୱରର କ୍ୟାପିଟାଲ ଥାନା ପୋଲିସ ତାକୁ ଗଜପତି ଜିଲ୍ଲାରୁ ଗିରଫ କରିଛି । ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ବର୍ତମାନ ସୁଦ୍ଧା ୩୨ ଜଣଙ୍କୁ ଗିରଫ କରା ଯାଇଛି ।
ସୂଚନାଯୋଗ୍ୟ ଗତମାସ ୧୦ ତାରିଖ ସଂଧ୍ୟାରେ ମୁଖାପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଆତଙ୍କ ଖେଳାଇଥିଲେ । ଅଧ ଘଂଟାଧରି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିଥିଲେ । ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏପରିକି କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚିଂଟୁ ମହାନ୍ତିକୁ ଗତକାଲି ଏନଏସଏରେ ବୁକ୍ କରାଯାଇଛି ।