
-
ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ
-
ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା କାର୍ଯ୍ୟକାରିତା ପାଇଁ ଓଡ଼ିଶାକୁ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର, ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା । ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ୩୧ ,୩୨୪ କୋଟି ଟଙ୍କା ସଂଗ୍ରହ କରି ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୫ ଟି ରାଜ୍ୟ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି ।
କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଜି.କିଶାନ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ କାର୍ଯ୍ୟକାରିତାରେ ଆଗୁଆ ଥିବା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର ଖଣି ସଚିବ ସଚିବ ଏଲ୍ କାନ୍ଥା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ, କେନ୍ଦୁଝରଙ୍କ ସମେତ ଦେଶର ଅନ୍ୟ ବିଭିନ୍ନ ରାଜ୍ୟର ୪ ଜଣ ଜିଲ୍ଲାପାଳ ମିଳିତ ଭାବେ ଡିଏମଏଫ୍ ପାଣ୍ଠି ସଂଗ୍ରହ ଏବଂ ଏହାର ଉପଯୋଗିତାରେ କିପରି ସ୍ୱଚ୍ଛତା ବଜାୟ ରହିପାରୁଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ଜିଲ୍ଲାପାଳଙ୍କ ଟିମ୍ ର ସଦସ୍ୟ ମାନେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ଓ ଏହାର କାର୍ଯ୍ୟକାରିତାରେ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟ ଠାରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହାକୁ ମନ୍ତ୍ରୀ ଶ୍ରୀ କିଶାନ ଉଦଘାଟନ କରିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଦେଶର ୨୩ ଟି ରାଜ୍ୟର ୬୪୬ ଟି ଜିଲ୍ଲାରେ ଡିଏମଏଫ୍ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି । ଖଣିଜ ଦ୍ରବ୍ୟ ଉତ୍ତୋଳନ ଯୋଗୁଁ ପ୍ରଭାବିତ ହେଉଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନାରେ ଏହି ପାଣ୍ଠି ଉପଯୋଗ କରାଯାଉଛି ।