
-
କ୍ଷତିପୂରଣ ଘୋଷଣା କଲେ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର
ଭଦୋଦରା– ରାଜ୍ୟରେ ମଧ୍ୟ ଗୁଜରାଟ୍କୁ ସୌରାଷ୍ଟ୍ର ସହ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ଏକ ସେତୁ ହଠାତ୍ ଭୁଶୁଡିବା କାରଣରୁ ଅନେକ ଯାନବାହନ ନଦୀରେ ଖସିଯାଇଛି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣକୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାରକୁ 2-2 ଲକ୍ଷ ଟଙ୍କା ଓ ଆହତମାନଙ୍କୁ 50-50 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତଙ୍କ ପରିବାରକୁ 4-4 ଲକ୍ଷ ଓ ଆହତମାନଙ୍କୁ 50-50 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
ମଧ୍ୟ ଗୁଜରାଟକୁ ସୌରାଷ୍ଟ୍ର ସହ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ସେତୁଟି ପ୍ରାୟ 45 ବର୍ଷ ପୁରୁଣା। ବୁଧବାର ସକାଳେ ଯାତାୟାତ ସମୟରେ ଦୁଇଟି ଟ୍ରକ୍, ଦୁଇଟି ପିକଅପ୍ ଓ ଗୋଟିଏ ରିକ୍ସା ସେତୁ ଭାଙ୍ଗିପଡିବା ଯୋଗୁ ମହିସାଗର ନଦୀରେ ପଡିଯାଇଥିଲେ। ସେତୁ ଭାଙ୍ଗିଯିବା ଓ ଯାନବାହନ ପଡିଯିବା ପରେ ଘଟଣା ସ୍ଥଳରେ ହାହାକାର ସୃଷ୍ଟି ହୋଇଥିଲା।
ଘଟଣାର ସୂଚନା ମିଳିବା ପରେ ମୁଜପୁର ସମେତ ଏହାର ଆଖପାଖ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ଜମା ହୋଇଥିଲେ । ମୁଜପୁର ଗ୍ରାମର ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଗଲେ ଓ ନଦୀ ଭିତରେ ଫସିଥିବା ଓ ଭାସିଯାଉଥିବା ଅନେକ ଲୋକଙ୍କୁ ବଞ୍ଚାଇଛନ୍ତି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି ଓ ୮ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣାର ସୂଚନା ପାଇଁ ପାଦରା ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବାହାର କରିଛନ୍ତି। ‘ସୁଇସାଇଡ୍ ପଏଣ୍ଟ’ ଭାବରେ କୁଖ୍ୟାତ ଏହି ସେତୁ ଭାଙ୍ଗିଯିବା ପରେ ଆନନ୍ଦ, ଭଦୋଦରା, ଭରୁଚ ଓ ଅଙ୍କଲେଶ୍ୱର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଏକ ପୋଷ୍ଟ କରି ଗୁଜରାଟର ଭଦୋଦରା ଜିଲ୍ଲାରେ ସେତୁ ଭାଙ୍ଗିଯିବା ଘଟଣାରେ ଧନଜୀବନ କ୍ଷତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଦୁର୍ଘଟଣାରେ ଆହତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡରୁ ମୃତକମାନଙ୍କ ପରିବାରକୁ 2-2 ଲକ୍ଷ ଟଙ୍କା ଓ ଆହତମାନଙ୍କୁ 50-50 ହଜାର ଟଙ୍କା ସାହାଯ୍ୟ ଦେବା ଘୋଷଣା କରିଛନ୍ତି। ବିଦେଶ ଯାତ୍ରାରେ ଥିବା ବେଳେ ସେ ଟେଲିଫୋନ ମାଧ୍ୟମରେ ଏହି ଦୁର୍ଘଟଣା ସମ୍ପର୍କରେ ତଥ୍ୟ ଅଧିଗ୍ରହଣ କରିଥିଲେ।