
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ର ଅନ୍ତିମ ନୀତି ନୀଳାଦ୍ରି ବିଜେ |ନୀଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ବଢିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇ ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏଥିସହିତ ରାଘବ ଦାସ ମଠ ତରଫରୁ ଟାହିଆ ଯୋଗାଈଥିବା ବେଳେ ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥିଲା । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ନନ୍ଦିଘୋଷ ରଥରୁ ମଦନମୋହନଙ୍କୁ , ବଳଭଦ୍ରଙ୍କ ରଥରୁ ରାମକୃଷ୍ଣଙ୍କ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିଥିଲେ।ପରେ ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିଥିଲେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା ।
ଭଣ୍ଡାର ଘର ଦ୍ୱାରଠାରେ ଲକ୍ଷ୍ମୀଠାକୁରାଣୀଙ୍କର ବନକ ଲାଗି କରାଇ, ପାଟବସ୍ତ୍ର ତଥା ବିଭିନ୍ନ ପୁଷ୍ପ ଅଳଙ୍କାରରେ ମା ଙ୍କୁ ବିମଣ୍ଡିତ କରାଇ, ମହାଜନ ସେବକମାନେ ସାତପାହାଚ ପର୍ଯ୍ୟନ୍ତ ତାଙ୍କୁ ହାତରେ ବିଜେ କରାଇ ଆଣି, ସେଠାରେ ଥିବା ପାଲିଙ୍କିରେ ବିଜେ କରିଥିଲେ। ସାତ ପାହାଚଠାରୁ ବାହାରି, ରୋଷଘର ପରିସର ଦେଇ, ସିଂହଦ୍ୱାରର ଦକ୍ଷିଣ ପାର୍ଶ୍ଵ ସ୍ଥିତ ପୂର୍ବାଭିମୁଖୀ ଭେଟ ମଣ୍ଡପଠାରେ ଲକ୍ଷ୍ମୀଦେବୀ ବିଜେ ହୋଇଥିଲେ। ଭେଟମଣ୍ଡପଠାରେ ତ୍ରୈଲୋକ୍ୟେଶ୍ୱରୀ ମା ମହାଲକ୍ଷ୍ମୀ ଡମ୍ବରୁ ଉପରେ ବିଜେ ହେବା ପରେ, ଅଖିଳ ବ୍ରହ୍ମାଣ୍ଡର ନାୟକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନକୁ ବିଜେ ହେବାପାଇଁ, ନନ୍ଦିଘୋଷ ରଥରୁ ଚାରମାଳ ଉପରକୁ ଟାହିଆ ପିନ୍ଧି ଓଲ୍ହାଇଥିଲେ।
ଭେଟମଣ୍ଡପଠାରେ ଥିବା ଦେବୀ ଲକ୍ଷ୍ମୀଙ୍କ ସହିତ, ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଚାରିଚକ୍ଷୁର ମିଳନ ହୋଇଥିଲା।
ଭେଟମଣ୍ଡପରେ ଥିବା ମହାଲକ୍ଷ୍ମୀଙ୍କ ସହ ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଅବସରରେ, ପତି ମହାପାତ୍ର ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଅକ୍ଷତ ବନ୍ଦାପନା କରିବା ସହ, କର୍ପୂର ଆଳତି, ନୈବେଦ୍ୟ ସମର୍ପଣ ଓ ବନ୍ଦାପନା କରିଥିଲେ। ଠିକ୍ ସେହି ସମୟରେ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବା ସହିତ ନୈବେଦ୍ୟ ଭାବରେ ରସଗୋଲା ସମର୍ପଣ କରିଥିଲେ।ଲକ୍ଷ୍ମୀଠାକୁରାଣୀ ଓ ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଓ ବନ୍ଦାପନା କାଳରେ, ହରିବୋଲ ହୁଳହୁଳି, ନାନା ବାଦ୍ୟ, ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନରେ ବଡ଼ଦାଣ୍ଡ ଓ ସିଂହଦ୍ୱାର ଉଚ୍ଛୁଳି ପଡିଥିଲା।
ସ୍ୱତ୍ୱଲିପିର ଅଛି ଯେ ଦୁହିଁଙ୍କ ବଚସା ଅନ୍ତେ ,, ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ସହ ମନାଇଥିଲେ ପରସ୍ପରଙ୍କ ମନୋମାଳିନ୍ୟ ବରଫ ପରି ତରଳି ଯାଇଥିଲା ଦୁହିଁଙ୍କ ଭିତରେ ଥିବା ଭବ୍ୟଲୀଳା ଜନମାନସରେ ହରିବୋଲ , ହୁଳହୁଳି ଶବ୍ଦ ରେ ଜୟଜୟାକାର ହୋଇ ଉଠିଥିଲା ।
ପରେ ପରେ ଭିତରଛ ମହାପତ୍ରଙ୍କ ଦ୍ୱାରା ଋକ୍ମିଣୀ ବିବାହ ସମୟରେ ପଡିଥିବା ଗଇଁଠାଳ ଫିଟାଯାଇ ବନ୍ଦାପନା କରାଯାଇଥିଲା। ମହାପାତ୍ରଙ୍କ ଦ୍ଵାରା ରସଗୋଲା ଭୋଗ ଭିତରକୁ ସମାହିତ ହେବା ପରେ ଘସା, ବିଡିଆ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ|