
ଭୁବନେଶ୍ଵର,ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ହାଉସିଂ ବୋର୍ଡ ଛକ, ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ସେବା ହିଁ ସମବାୟର ମୂଳ ଧର୍ମ । ସମବାୟ ଅନୁଷ୍ଠାନକୁ “ୱାନ୍ ଷ୍ଟପ୍ ସପ୍” (One Stop Shop)ରେ ପରିଣତ କରି ଗ୍ରାମୀଣ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ ସେବା ଯୋଗାଇ ଦେବା ପାଇଁ ସମିତି ମାନଙ୍କୁ ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି ।
ଓଡିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ପୂର୍ବରୁ ଆୟୋଜିତ ତର୍କ, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ‘ସମବାୟ ସମାଚାର’ ପତ୍ରିକାର ସ୍ଵତନ୍ତ୍ର ସଂଖ୍ୟା ଏବଂ ଆମ ସମବାୟ ଉପରେ ସୂଚନା ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟ ସମିତ ସମୂହର ନିବନ୍ଧକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦାସ, ବିଶିଷ୍ଟ ସମବାୟବିତ ଯଜ୍ଞେଶ୍ଵର, ସମବାୟ ସମିତ ସମୂହର ମହାସମୀକ୍ଷକ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । “ଏକ ପେଡ୍ ମା’ କେ ନାମ୍” ଅଭିଯାନରେ ସାମିଲ ହୋଇ ମାନ୍ୟବର ସମବାୟ ମନ୍ତ୍ରୀ ଏକ ଚାରା ରୋପଣ କରିଥିଲେ । ଏହି ଉତ୍ସବରେ ଓଡିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ ସଭାପତିତ୍ୱ କରିଥିଲେ । ୟୁନିୟନର ସଂପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପରିଡା ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ –ସଂପାଦିକା ସରୋଜିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜି ପ୍ରଭାତ ସମୟରେ ସମବାୟ ଭବନ ପରିସରରେ ରାଜ୍ୟ ସ୍ତରୀୟ ସମବାୟ ପତାକାକୁ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ ଉତ୍ତୋଳନ କରିଥିଲେ । ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ଦିବସର ଥିମ୍ ରହିଛି “ଏକ ଉତ୍ତମ ବିଶ୍ୱ ଗଠନ ପାଇଁ ନିରନ୍ତର ସ୍ଥାୟୀ ସମାଧାନର ପରିଚାରକ- ସମବାୟ”। ସୂଚନାଯୋଗ୍ୟ, ୨୦୨୫ ମସିହାକୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ପାଳନ କରାଯାଉଛି ।