
ଭୁବନେଶ୍ୱର- ଆଜି ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ବାହୁଡିବେ ମହାବାହୁ । ଉଛୁଳୁଛି ବଡ଼ଦାଣ୍ଡ, ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ ରହିଛି । ଜନ୍ମବେଦିରେ ସରିଛି ମହାପ୍ରଭୁଙ୍କ ଲୀଳାଖେଳା । ନାକଚଣା ଦ୍ବାର ଆଗରେ ବିଶ୍ବନିୟନ୍ତାଙ୍କୁ ଅପେକ୍ଷାରତ ତିନି ରଥଙ୍କୁ ଦର୍ଶନ କରି ଏବେ ଆନନ୍ଦିତ ଅଗଣିତ ଭକ୍ତ।
ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୋଇଛନ୍ତି ସୁଦର୍ଶନ । ଘଣ୍ଟ, ହୁଳହୁଳିରେ କମ୍ପୁଛି ଶରଧାବାଲି । ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡିରେ ଆସିଥିଲେ । ଏହାପରେ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିଜେ କରିଛନ୍ତି । ଶେଷକୁ କାଳିଆ ସାଆନ୍ତ ଝୁଲି ଝୁଲି ଆସିଛି । ତିନି ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ । ଅପରାହ୍ନ 4ଟାରେ ରଥଟଣା ହେବ ।