
ପୁରୀ– ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ମହାବାହୁ । ଗତକାଲି ରାତିରେ ବାହୁଡ଼ା ବିଜେ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିଲା ।
ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଆଜି ସକାଳ ୭ଟା ୫ ରେ ମଙ୍ଗଳଆଳତୀ, ୭ଟା ୧୦ରେ ମଇଲମ ଓ ରୋଷହୋମ, ୭ଟା୧୫ରେ ତଡ଼ପଲାଗି, ୭ଟା ୨୦ ରେ ଅବକାଶ ପୂଜା ଠା, ୭ଟା ୪୦ରେ ଅବକାଶ ପୂଜା ଶେଷ ହୋଇଥିଲା । ଏହାପରେ ସକାଳ ୮ଟା ୫ ରେ ସୂର୍ଯ୍ୟ ପୂଜା, ୮ଟା ୧୫ ରେ ବେଶ ଶେଷ, ୮ଟା ୨୦ ରେ ଦ୍ୱାରପାଳ ପୂଜା, ୮ଟା ୩୦ରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଡାକିଗଲେ, ୮ଟା ୩୫ ରେ ସକାଳଧୂପ ଛେକ, ୮ଟା ୪୦ ରେ ସକାଳ ଧୂପ ପୂଜା, ପୂର୍ବାହ୍ନ ୯ଟାରେ ସକାଳ ଧୂପ ଟେରା, ୯ଟା ୧୦ ରେ ସକାଳ ଧୂପ ଶେଷ ହୋଇଥିଲା । ୯ଟା ୨୦ରେ ସକାଳ ଧୂପ ପ୍ରସାଦ ବାହାରି ପାଣି ପଡିଥିଲା । ୯ଟା ୫୦ ରେ ମଙ୍ଗଳାର୍ପଣ, ୯ଟା ୫୫ ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହୋଇଥିଲା । ପ୍ରଥମେ ମହାପ୍ରଭୁ ସୁଦର୍ଶନ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ତିନି ରଥ ପରିକ୍ରମା କରିବା ପରେ ଦର୍ପଦଳନ ରଥରେ ବିଜେ କରିଥିଲେ । ପରେ ପରେ ଶ୍ରୀବଳଭଦ୍ର ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ । ପରେ ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ନନ୍ଦିଘୋଷ ରଥାରୁଢ଼ ହୋଇଥିଲେ ଜଗତର ନାଥ ଶ୍ରୀ ଜଗନ୍ନାଥ । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ଶରଧାବାଲି । ଝିପି ଝିପି ବର୍ଷା ସତ୍ୱେ ଶରଧାବାଲିରେ ଭକ୍ତଙ୍କ ଭିଡ଼ ଲାଗିଛି । ଶ୍ରୀବିଗ୍ରହମାନେ ରଥାରୁଢ଼ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ରଥ ଉପରେ ଚାଲୁ ରହିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ଚାରମାଳ ଖୋଲାଯାଇ ରଥରେ ଦଉଡ଼ି ବନ୍ଧାଯିବ । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ, ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । ପୋଲିସ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସମେତ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ୧୨ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି ।