ଭୁବନେଶ୍ୱର- ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରଥମ ଦିନରେ ବାଲିଗୁଡା ଓ.ଏଲ୍.ଆଇ.ସି ସବ୍ ଡିଭିଜନ ଓ ଦ୍ୱିତୀୟ ଦିନରେ ଫୁଲବାଣୀ ଡିଭିଜନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
ଶ୍ରୀ ପତ୍ରୀ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କର ଏହି ୨ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ପାହାଡିଆ ତଥା ଦୁର୍ଗମ ଅଂଚଳ ଗସ୍ତକରି ବିଭିନ୍ନ ବ୍ଲକରେ ଥିବା ଗଭୀର କୂପ, ରିଭର ଲିଫ୍ଟ, ମାଇକ୍ରୋ ରିଭର ଲିଫ୍ଟ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଚାଷୀମାନେ ନିଗମ ଅଧ୍ୟକ୍ଷଙ୍କୁ ନିଜ ଚାଷ ଜମିରେ ନିଜର ସୁବିଧା ଅସୁବିଧା ଜଣାଇବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ତତ୍ ସହି ସହିତ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ ବିକାଶ ପାଇଁ ଉଠା ଜଳ ସେଚନ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ ସେଚନ ସୁବିଧା କରୁଥିବାରୁ ସେମାନେ ତାଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ନିଗମ ଦ୍ୱାରା କିପରି ଚାଷୀମାନେ ଆହୁରି ଅଧିକ ସୁଫଳ ପାଇପାରିବେ, ସେ ବିଷୟରେ ଶ୍ରୀ ପତ୍ରୀ କୃଷକମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ ।
କ୍ଷେତ୍ର ପରିଦର୍ଶନ ସମୟରେ ଶ୍ରୀ ପତ୍ରୀ କୃଷକମାନଙ୍କୁ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ରହିଛି, ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ, ଯୁବପିଢି କୃଷିର ଉନ୍ନତିକୁ ଏକ ବିପ୍ଳବ ଭାବେ ନେଇ ଏହାକୁ ଲାଭଜନକ ଶିଳ୍ପରେ ପରିଣତ କରନ୍ତୁ । କୃଷି ପାଇଁ ନିତାନ୍ତ ଜଳସେଚନ ଆବଶ୍ୟକ ହେଉଥିବା ଚାଷ ଜମି, ବିଶେଷ କରି ଯେଉଁଗୁଡିକ ଦୁର୍ଗମ ଅଂଚଳରେ ରହିଛି, ସେଠାରେ କିପରି ଜଳ ସେଚନ ସୁବିଧା ଉପଲବ୍ଧ ହେବ, ଉଠାଜଳସେଚନ ନିଗମ ସମସ୍ତଙ୍କର ସହଭାଗିତାରେ ଏହାର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବାକୁ ଶ୍ରା ପତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାରେ ମହିଳା ଚାଷୀମାନେ ମଧ୍ୟ ପ୍ରକଳ୍ପର ସୁବିନିଯୋଗ କରି ସ୍ୱାବଲମ୍ବୀ ହୋଇଥିବା ପରିଦର୍ଶନ ସମୟରେ ଶ୍ରୀ ପତ୍ରୀ ଦେଖିବାକୁ ପାଇଥିଲେ ।
ସେହିପରି ଶସକେରା ଗ୍ରାମର ମା’ ସୁତୁଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସଂପୃକ୍ତ ଅଂଚଳରେ ପାଣି ପଂଚାୟତ ଦାୟିତ୍ୱ ନିର୍ବାହ କରୁଥିବାରୁ ଉକ୍ତ ଗ୍ରୁପ୍କୁ ପ୍ରଶଂସା କରାଯାଇଥିଲା । ଶ୍ରୀ ପତ୍ରୀଙ୍କ କାର୍ଯ୍ୟ ସମୀକ୍ଷା ସମୟରେ ଓ.ଏଲ୍.ଆଇ.ସି ଅଧିକ୍ଷଣ ଯନ୍ତ୍ରୀ ନିରଞ୍ଜନ ପ୍ରଧାନ, ଫୁଲବାଣୀର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରୁଦ୍ର ପ୍ରସାଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ରଞ୍ଜନ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମାଗେନ୍ତା କୁମାର ଦତ, କନିଷ୍ଟ ଯନ୍ତ୍ରୀ (ସିଭିଲ) ଶ୍ରୀ ବେଦବ୍ୟାସ ଦାସ. କନିଷ୍ଠ ଯନ୍ତ୍ରୀ (ଇଲେକ୍ଟ୍ରିିକାଲ) ଶ୍ରୀ ଦେବେନ୍ଦ୍ରନାଥ ନାୟକ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।